ନ୍ୟୁଜ ଡେକ୍ସ : ଚାଇନିଜ୍ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଡୋରମ୍ୟାଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ଅପମାନଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଓ ଭକ୍ତମାନେ ତୀବ୍ର ପ୍ରତିବାଦ କରିଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଗନ୍ନାଥପ୍ରେମୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ଏକ ଅପମାନ ଜନକ ଘଟଣା । ଏହା ସମସ୍ତ ଜଗନ୍ନାଥ ପ୍ରେମୀ ମାନଙ୍କୁ ଆଘାତ ଦେଇଛି । ତୁରନ୍ତ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲିଟ କରାଯାଉ । ଏହା ସହ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
ଅନେକ ପୋଷ୍ଟରେ ଏହାକୁ “ଧାର୍ମିକ ଅସମ୍ମାନ” ଓ “ହିନ୍ଦୁ ବିରୋଧୀ କାର୍ଯ୍ୟ” ବୋଲି ବର୍ଣ୍ଣନା କରାଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି ।
