Thu. Oct 23rd, 2025

ନ୍ୟୁଜ ଡେକ୍ସ : ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ହାଇକୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆର୍‌. ତ୍ରିପାଠୀ ଓ ଅନ୍ୟଜଣଙ୍କ ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ପ୍ରତି ବିଧାୟକ ଓ ସାଂସଦ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ। ଏଭଳି ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ପ୍ରଭାବିତ ହୋଇଛନ୍ତି।

ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା। ଏପରି ଚିଠି ଆଧାରରେ ବଦଳି ସଂକ୍ରାନ୍ତରେ ଜାରି ନିର୍ଦ୍ଦେଶ ଦ୍ବାରା ଆବେଦନକାରୀ ପ୍ରଭାବିତ ହୋଇଛନ୍ତି ବୋଲି ହାଇକୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *