ନ୍ୟୁଜ ଡେକ୍ସ : ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ପଇଁ କରାଗଲା ନିଲମ୍ବିତ । ବିଜୁ ଜନତା ଦଳ ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ଜାରି କାରଯାଇଛି । କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜୁ ଜନତା ଦଳ, ହେଡକ୍ୱାର୍ଟର ଦାୟିତ୍ୱରେ ଥିବା ପ୍ରତାପ ଜେନା । ପ୍ରତାପ କହିଛନ୍ତି, ପ୍ରଫୁଲ୍ଲଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ କାର୍ଯ୍ୟ ଦଳର ଏକତା ଏବଂ ଶୃଙ୍ଖଳା ପାଇଁ କ୍ଷତିକାରକ । ଏହା ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଅଭିଯୋଗ କରିଛନ୍ତି ପ୍ରତାପ ।ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ନିଲମ୍ବନ ପୂର୍ବରୁ କାଳେ ଦଳରୁ ଇସ୍ତଫା ଦେଇସାରିଥିଲେ ପ୍ରଫୁଲ୍ଲ । ଏନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି ।
ବିଜେଡିରୁ ନିଲମ୍ୱନ ହେବା ପରେ ପ୍ରଫୁଲ୍ଲ କହିଛନ୍ତି, “ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି । “ମୁଁ ଇସ୍ତଫା ଦେବା ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି,” ବୋଲି ଦାବି କରିଛନ୍ତି ପ୍ରଫୁଲ୍ଲ । ସେ ଆହୁରି ବି କହିଛନ୍ତି, ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉନଥିଲି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି । ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ।
