ନ୍ୟୁଜ ଡେକ୍ସ : ବାତ୍ୟା ‘ମୋନ୍ଥା’ ରେ ଓଡ଼ିଶାର ଅନେକ ଅଞ୍ଚଳ ଭାରି ପ୍ରଭାବିତ ହୋଇଛି। ରାଜ୍ୟର ୩୩ଟି ବ୍ଲକ ଓ ୧୧ଟି ସହରାଞ୍ଚଳରେ ଅନେକ ଘର ଓ ଫସଲର କ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ଆରମ୍ଭ କରିଛି।କାଲିଠାରୁ ସମସ୍ତ ଜିଲ୍ଲାପାଳ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ ଆରମ୍ଭ କରିବେ।
ଫସଲ ଏବଂ ଘର ନଷ୍ଟ ହୋଇଥିବା ଅଞ୍ଚଳରେ ଅଧିକାରୀମାନେ ସ୍ଥଳ ସର୍ଭେ କରି ସଠିକ ତଥ୍ୟ ସଂଗ୍ରହ କରିବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୭୨ ଘଣ୍ଟା ମଧ୍ୟରେ ଜିଲ୍ଲାପ୍ରଶାସନ ରିପୋର୍ଟ ଦେବାକୁ ପଡିବ।ଘର ଭାଙ୍ଗିଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ନିଦେଶ ଦିଆଯାଇଛି। ସର୍ଭେ ସମୟରେ ଅଧିକାରୀମାନେ ପୀଡ଼ିତଙ୍କର ବ୍ୟାଙ୍କ ଖାତା ନମ୍ବର ସଂଗ୍ରହ କରିବେ, ଯାହା ମାଧ୍ୟମରେ ଅନଲାଇନରେ ଶୀଘ୍ର କ୍ଷତିପୂରଣ ହେବ।
ମନ୍ତ୍ରୀ ପୂଜାରୀ କହିଛନ୍ତି, ବାତ୍ୟା ପୂର୍ବରୁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ନେଇଥିଲା, ଯାହା ଫଳରେ ଜନହାନି ଏବଂ ବଡ଼ କ୍ଷତି ହେବାରୁ ରକ୍ଷା ମିଳିଛି। ସବୁ ବିଭାଗକୁ ସତର୍କ ରଖାଯାଇଥିଲା ଏବଂ ଭୂସ୍ଖଳନ ଅଞ୍ଚଳରେ ବିଶେଷ ବ୍ୟବସ୍ଥା ହୋଇଥିଲା। ସେ ଅଧିକ କହିଛନ୍ତି, ବାତ୍ୟା ସମୟରେ ୧୯ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳରେ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ସମସ୍ତ ବ୍ୟବସ୍ଥା ରଖାଯାଇଥିଲା।
ଏହାସହ ୨ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା।ମନ୍ତ୍ରୀ ପୂଜାରୀ ଏହି ମଧ୍ୟ କହିଛନ୍ତି ଯେ, ବାତ୍ୟା ପରେ ରାସ୍ତା ଅବରୋଧ ଖୁବ ତୁରନ୍ତ ସମୟରେ ହଟାଯାଇଛି ଏବଂ ସାଧାରଣ ଜୀବନକୁ ଶୀଘ୍ର ସ୍ଥିର କରିବା ପାଇଁ ପ୍ରଶାସନ ଦୃଢ଼ ଚେଷ୍ଟା କରୁଛି।

