ନ୍ୟୁଜ ଡେକ୍ସ : ଭାରତୀୟ ବାୟୁସେନାର ଇତିହାସରେ ଆଉ ଗୋଟିଏ ସୁବର୍ଣ୍ଣ ଅଧ୍ୟାୟ ଲେଖାଯାଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି। ଏହା ସହିତ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ରାଫେଲ ଯୁଦ୍ଧ ବିମାନରେ ଉଡିବା ଗୌରବ ହାସଲ କରିଛନ୍ତି।
ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଏୟାର ଚିଫ୍ ମାର୍ଶାଲ ବି.ଆର. ଚୌଧୁରୀଙ୍କ ସହ ଉଡାଣ ଭରିଥିଲେ। ରାଫେଲ, ଯାହା ଭାରତୀୟ ବାୟୁସେନାର ସବୁଠୁ ଆଧୁନିକ ଓ ସକ୍ଷମ ଯୁଦ୍ଧ ବିମାନ ଭାବେ ପରିଚିତ, ଏହାରେ ରାଷ୍ଟ୍ରପତିଙ୍କ ଉଡାଣ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଛି।ଏହା ପୂର୍ବରୁ ୮ ଏପ୍ରିଲ ୨୦୨୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ ଯୁଦ୍ଧ ବିମାନରେ ମଧ୍ୟ ଉଡାଣ ଭରିଥିଲେ।
ଏହା ପୂର୍ବରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ (୮ ଜୁନ ୨୦୦୬) ଏବଂ ପ୍ରତିଭା ପାଟିଲ (୨୫ ନଭେମ୍ବର ୨୦୦୯) ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ବିମାନରେ ଉଡିଥିଲେ।ରାଷ୍ଟ୍ରପତିଙ୍କ ଏହି ସାହସିକ ଓ ପ୍ରେରଣାଦାୟକ ଉଡାଣ ମହିଳା ଶକ୍ତିକୁ ସେନା ଏବଂ ବାୟୁସେନା ମଧ୍ୟରେ ଅଧିକ ଆଗକୁ ଆଣିବା ପାଇଁ ଉତ୍ସାହିତ କରିବ ବୋଲି ଅନେକ ବିଶେଷଜ୍ଞ ମନେ କରୁଛନ୍ତି।

