Sun. Apr 19th, 2026

ନ୍ୟୁଜ ଡେକ୍ସ : ବାତ୍ୟା ‘ମୋନ୍ଥା’ ଏବେ ଓଡ଼ିଶାରୁ ଚାଲିଯାଇଥିଲେ ମଧ୍ୟ, ତାହାର ପ୍ରଭାବ ରାଜ୍ୟର ଚାଷୀମାନଙ୍କ ଜୀବନରେ ଗଭୀର ଛାପ ଛାଡ଼ିଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶା ସହ ଉପକୂଳ ଅଞ୍ଚଳର ଧାନ ଚାଷ ବିପୁଳ ଭାବରେ ପ୍ରଭାବିତ ହୋଇଛି। ଲଗାତାର ତିନି ଦିନ ଧରି ପଡ଼ୁଥିବା ବର୍ଷାରେ ଅନେକ ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଏବେ ଚିନ୍ତାରେ ଡୁବିଛନ୍ତି।ଏହି ପରିସ୍ଥିତି ମଧ୍ୟରେ ରାଜ୍ୟ ସରକାର ତରଫରୁ ଆସିଛି ଏକ ଆଶ୍ବସ୍ତି ଖବର।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ‘ମୋନ୍ଥା’ର ଫଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କାମ ଆରମ୍ଭ ହୋଇଯାଇଛି। “ଏବେ ଧାନ ଓ କପା ଚାଷର ଅମଳ ସମୟ ଥିବାରୁ କ୍ଷତି ବେଶି ହୋଇଛି। ତିନି ଦିନ ମଧ୍ୟରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଆକଳନ କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି,” ବୋଲି ମନ୍ତ୍ରୀ କହିଛନ୍ତି।ସେ ଆହୁରି ଜଣାଇଛନ୍ତି ଯେ, ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେଠାରୁ ରାଜସ୍ଵ ଅଧିକାରୀମାନଙ୍କୁ ଅନ୍ୟ ଜିଲ୍ଲାରେ ଆକଳନ ପାଇଁ ନିୟୋଜିତ କରାଯିବ। ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନ ଦେଇଛନ୍ତି।

ଏହି ସହିତ ରାଜ୍ୟର ପର୍ବତାଞ୍ଚଳ ଅଞ୍ଚଳରେ ଭୁସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି। ଗଜପତି ଜିଲ୍ଲାକୁ ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରି ସେଠାରେ ପଥର ଖସିବା ଓ ରାସ୍ତା ଅବରୋଧ ସମସ୍ୟା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, “ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତା ମରାମତି ଓ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବ।”ସରକାରୀ ଆକଳନ ସମାପ୍ତ ହେଲେ, ବାତ୍ୟା ‘ମୋନ୍ଥା’ରେ ଚାଷୀମାନେ କେତେ କ୍ଷତି ହୋଇଛନ୍ତି ତାହା ସ୍ପଷ୍ଟ ହେବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *