ନ୍ୟୁଜ ଡେକ୍ସ : ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ଜେଲରେ ରହୁଥିବା ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀ ଆଜି ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। କୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ଜରିଆରେ ଜାମିନ ଦେଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଏମାନେ ଜାଲିଆତି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିଲେ।
ହେଲେ ବିଚାର ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସମୟମଧ୍ୟରେ କୋର୍ଟକୁ ଦାଖଲ କରାଯାଇନଥିବାରୁ କୋର୍ଟ ୧୧୪ ଜଣଙ୍କୁ ସର୍ତ୍ତସହିତ ଜାମିନ ପ୍ରଦାନ କରିଛି।କୋର୍ଟ ନିର୍ଦ୍ଦେଶାନୁସାରେ, ଜାମିନରେ ଥିବା ପରୀକ୍ଷାର୍ଥୀମାନେ ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଓ କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ ତଦନ୍ତ ପାଇଁ ଡାକିଲେ ସେମାନେ ଉପସ୍ଥିତ ହେବାକୁ ପଡିବ।
ସେଥିପାଇଁ ସମସ୍ତେ ତଦନ୍ତ ଟିମକୁ ସହଯୋଗ କରିବା ସର୍ତ୍ତ ରହିଛି। ସୂଚନାଯୋଗ୍ୟ, ଗତ ସପ୍ଟେମ୍ବର ୩୦ ତାରିଖରେ ୩ଟି ବସରେ ବସି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯାଇବା ବେଳେ ଏହି ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଥିବା ସୂଚନା ମିଳିଛି।

