ନ୍ୟୁଜ ଡେକ୍ସ :ମାଦକ ଦ୍ରବ୍ୟ ଚାଲାଣ ରୋକିବା ଅଭିଯାନରେ ପୁରୀ ପୋଲିସ ପୁଣି ଏକ ବଡ଼ ସଫଳତା ହାସଲ କରିଛି। “ଅପରେସନ ଚକ୍ର” ଅଭିଯାନ ଅଧୀନରେ ପୋଲିସ ୧୫୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ। ଏହି ଅଭିଯାନରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସ ସୂତ୍ର ଅନୁଯାୟୀ, ବ୍ରାଉନସୁଗାର କାରବାର ଚାଲିଥିବା ବିଷୟରେ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁରୀ ପୋଲିସ “ଅପରେସନ ଚକ୍ର” ଆଧାରରେ ଏକ ବିଶେଷ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୧୫୧ ଗ୍ରାମ ବ୍ରାଉନସୁଗାର, ନଗଦ ୬ ଲକ୍ଷ ୩୦ ହଜାର ୭ ଟଙ୍କା, ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ପୋଲିସ ଗିରଫ ଚାରିଜଣ ଅଭିଯୁକ୍ତଙ୍କ ଠାରୁ ଆହୁରି ୭ଟି ମୋବାଇଲ ଫୋନ୍, ଗୋଟିଏ ଚାରିଚକିଆ ଗାଡ଼ି, ଗୋଟିଏ ବୁଲେଟ ମୋଟରସାଇକେଲ ଏବଂ ଦୁଇଟି ବାଇକ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁରୀ ପୋଲିସ ସୂଚନା ଦେଇଛି ଯେ, ମାଦକ ଚକ୍ରକୁ ମୂଳରୁ ଉଜାଡ଼ିବା ପାଇଁ ଏହି ପ୍ରକାର ଅଭିଯାନ ଜାରି ରହିବ। ପୋଲିସ ମୁଖ୍ୟ ଅଧିକାରୀ କହିଛନ୍ତି — “ପୁରୀକୁ ମାଦକମୁକ୍ତ ଜିଲ୍ଲା କରିବା ଆମ ପ୍ରତିଶ୍ରୁତି।”

