ନ୍ୟୁଜ ଡେକ୍ସ : ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ପୂରା ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟ ସୀମାରେ ଥିବା ଜମ୍ବୁ, ତନ୍ତିଆପାଳ ଓ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀମାନେ ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ସାମୁଦ୍ରିକ ଥାନା, ତଟରକ୍ଷୀ ବାହିନୀ ଓ ମତ୍ସ୍ୟ ବିଭାଗ ମିଶିତି ଏହି ସୁରକ୍ଷା କାର୍ଯ୍ୟକ୍ରମ ଚାଲିଛି।ମତ୍ସ୍ୟଜୀବୀମାନଙ୍କୁ ନିଜ ପରିଚୟପତ୍ର ସାଙ୍ଗରେ ରଖି ସମୁଦ୍ରକୁ ଯିବା ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ମଝିରେ ଚାଲୁଥିବା ବୋଟ୍ଗୁଡ଼ିକୁ ଯାଞ୍ଚ କରାଯାଉଛି ଏବଂ ଉପକୂଳ ଅଞ୍ଚଳରୁ ଆସୁଥିବା ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ିମାନଙ୍କୁ ପୋଲିସ ତନଖି କରୁଛି।ସ୍ଥାନୀୟ ବାସିନ୍ଦାଙ୍କୁ ସନ୍ଦିଗ୍ଧ ବ୍ୟକ୍ତି ଦେଖାଦେଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ଅନୁରୋଧ କରାଯାଇଛି। ଏଥିସହ, ସମୁଦ୍ର ତଟବର୍ତ୍ତୀ ଗାଁଗୁଡ଼ିକରେ ବାହାର ରାଜ୍ୟ ଓ ବିଦେଶୀ ଲୋକ ସ୍ଥାନୀୟ ବାସିନ୍ଦାର ପରି ରହୁଥିବା ଘଟଣା ନେଇ ପୋଲିସ ଚିନ୍ତିତ।
ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ ରହିବା ନିର୍ଦ୍ଦେଶ ଦିଆଯାଇଛି। ପାରାଦୀପ ଓ ତାହା ସମୀପବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ସୁରକ୍ଷା ବିଶେଷଜ୍ଞମାନଙ୍କ ମତାନୁସାରେ ଆତଙ୍କବାଦୀ ବା ବାହ୍ୟଶତ୍ରୁ ଏବେ ସ୍ଥଳପଥ ଅପେକ୍ଷା ଜଳପଥକୁ ସହଜ ମାର୍ଗ ଭାବେ ବେଶି ପସନ୍ଦ କରୁଛନ୍ତି। ସେଥିପାଇଁ ରାଜ୍ୟ ସରକାର ସମୁଦ୍ର ତଟକୁ ସୁରକ୍ଷିତ କରିବା ପାଇଁ ସାମୁଦ୍ରିକ ଥାନା ସଂଖ୍ୟା ବଢ଼ାଇବାର ଯୋଜନା କରୁଛି।

