ନ୍ୟୁଜ ଡେକ୍ସ : ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସିସ୍ (PRIDE) ଦ୍ୱାରା ଆୟୋଜିତ ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ବୈଠକରେ ଯୋଗଦେଲେ।
ବିଦେଶୀ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଓ ବିଧାନସଭାର ୮୯ ବର୍ଷର ଗୌରବମୟ ଜନସେବା ଐତିହ୍ୟ ବିଷୟରେ ଆଲୋକପାତ କଲେ। ସେ କହିଲେ, “ଓଡ଼ିଶା ବିଧାନସଭାର ସଂସଦୀୟ କାର୍ଯ୍ୟପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ମଡେଲ୍।” ମୁଖ୍ୟମନ୍ତ୍ରୀ ସୂଚନା ଦେଲେ ଯେ ଜୁନ୍ ୨୦୨୪ ରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ୬୨ଟି ବୈଠକ ପରିଚାଳନା କରିଥିଲା। ଏହି ସମୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପରେ ୧୨ ଘଣ୍ଟା ୨୫ ମିନିଟ୍ ଧରି ରେକର୍ଡ ବିତର୍କ ହୋଇଥିଲା।
ବିଧାନସଭା ପ୍ରକ୍ରିୟାର ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ, ଇ-ପ୍ରଶାସନ ପାଇଁ OSWAS, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ (Indexing) ପାଇଁ AI ର ବ୍ୟବହାର ଆଦି ଅନେକ ପଦକ୍ଷେପ ନିଆଯାଇଛି। ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।ବିଭିନ୍ନ ସଂସଦୀୟ କମିଟି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଓଡ଼ିଶାର 10ଟି ବିଭାଗୀୟ ସ୍ଥାୟୀ କମିଟି ସମେତ 25ଟି କମିଟି ଗଠନ କରାଯାଇଛି।
ଉନ୍ନତ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗୁଡିକ ‘ମିନି-ପାର୍ଲିମେଣ୍ଟ’ ଭାବରେ କାର୍ଯ୍ୟ କରୁଛି। ଓଡ଼ିଶା ନିକଟରେ ଅନୁସୂଚିତ ଜାତି ଏବଂ ଜନଜାତି କମିଟିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିଥିଲା। ଏହା ଆମର Inclusive Governance ପ୍ରତି ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ।ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ । ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

