Fri. Feb 27th, 2026

ନ୍ୟୁଜ ଡେକ୍ସ :ପୁରୀ, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଦେବଦୀପାବଳି ନୀତି। ତିନିଦିନ ବ୍ୟାପୀ ଏହି ବିଶେଷ ଉତ୍ସବରେ ମହାପ୍ରଭୁ ଶ୍ରାଦ୍ଧବେଶରେ ଵିଭୂଷିତ ହେବେ ଓ ବିଭିନ୍ନ ପିତୃଦେବତାଙ୍କ ପାଇଁ ଦୀପଦାନ ଏବଂ ଶ୍ରାଦ୍ଧ ତର୍ପଣ କରିବେ। ମାର୍ଗଶୀର ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ତିନିଦିନ ଧରି ଏହି ପବିତ୍ର ପରମ୍ପରା ପାଳନ ହୋଇଆସୁଛି।

ଆଜି ଅର୍ଥାତ ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ । ସେହିପରି ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଧେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବେ । ଆଉ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।

ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି ଦୀପାବଳି ଦିନ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି ଠିକ ସେହିପରି ମହାପ୍ରଭୁ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ ।

Leave a Reply

Your email address will not be published. Required fields are marked *