ନ୍ୟୁଜ ଡେକ୍ସ : ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍ ଆରମ୍ଭ ହେବ। ଏହି ପରିପ୍ରେକ୍ଷ୍ୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ କନ୍ଧମାଳ ଜିଲ୍ଲାରେ ଡେରା ପକାଇ ନକ୍ସଲ ବିରୋଧୀ ପ୍ରସ୍ତୁତି ନେଖୁଁଅଛନ୍ତି। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଓଡ଼ିଶାକୁ ମାଓ ମୁକ୍ତ ରାଜ୍ୟରେ ପରିଣତ କରିବା ହେଉଛି ପୋଲିସଙ୍କ ଲକ୍ଷ୍ୟ।ଡିଜିପି ଖୁରାନିଆ ଜାଣାଇଛନ୍ତି, ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୮୦-୮୫ ଜଣ ମାଓବାଦୀ ସକ୍ରିୟ ଅଛନ୍ତି।
ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣ ଓଡ଼ିଆ, ଅନ୍ୟମାନେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟର। ସେ କହିଛନ୍ତି, “ଦେଶବ୍ୟାପୀ ମାଓବାଦ ଦମନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସରଣ କରୁଛୁ। ଓଡ଼ିଶାରେ ମାଓ ନିପାତ ପାଇଁ ୨୦୨୬ ମାର୍ଚ୍ଚକୁ ସମୟସୀମା ଭାବେ ନିର୍ଦ୍ଧାରିତ କରାଯାଇଛି।”ଏହି ଅଭିଯାନରେ କନ୍ଧମାଳକୁ ଗୁରୁତ୍ୱପୂର୍ଣ୍ଣ ଆଧାର କେନ୍ଦ୍ର (ବେସ୍ କ୍ୟାମ୍ପ) ଭାବେ ବ୍ୟବହାର କରାଯାଉଛି। ସଖଳ ଅଞ୍ଚଳରେ ପୋଲିସ, କମାଣ୍ଡୋ ଏବଂ SOG ଦଳର ଯୁକ୍ତ ତତ୍ପରତା ଜୋରଦାର କରାଯାଇଛି।ସେ ଆହୁରି କହିଛନ୍ତି, ଯେମାନେ ଅସ୍ତ୍ର ତ୍ୟାଗ କରି ସାଧାରଣ ଜୀବନକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ବିଶେଷ ପୁନର୍ବାସ ଯୋଜନା ରଖାଯାଇଛି।
ଏହାରେ ଆର୍ଥିକ ସହାୟତା, ଘରବାସ, ଶିକ୍ଷା, ଚାକିରି ସୁବିଧା ସମେତ କେତେଗୁଡ଼ିଏ ପ୍ୟାକେଜ୍ ଦିଆଯାଉଛି। ମାଓ ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ଓ ସୁରକ୍ଷା ପୁନସ୍ଥାପନ କରିବାକୁ ଏହି ଅଭିଯାନକୁ ରାଜ୍ୟ ପୋଲିସ ଏକ “ଟର୍ନିଂ ପଏଣ୍ଟ” ବୋଲି ମାନୁଛି। ଆଗାମୀ ଦୁଇ ବର୍ଷ ମାଓବାଦ ନିପାତର ନିର୍ଣ୍ଣାୟକ ସମୟ ହେବ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି।

