ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତାକାଲି ମଙ୍ଗଳବାରଠାରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ୍କୁ ଅଧିକ ରଖିଛି ରାଜ୍ୟ ସରକାର। ଚାଷୀମାନେ ଯେଣ୍ଞା ପରିଶ୍ରମର ନ୍ୟାୟସଙ୍ଗତ ମୂଲ୍ୟ ପାଉଥିବେ, ସେଥିପାଇଁ ମଣ୍ଡିଗୁଡ଼ିକରେ ବିଶେଷ ବ୍ୟବସ୍ଥା କରାଯାଇଛି।
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାନୀୟ ସୁବିଧା, ଶୌଚାଳୟ ଭଳି ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି। ଧାନକିଣା ପ୍ରକ୍ରିୟା ସ୍ମୁତ୍ ହେବା ପାଇଁ ମିଲ୍ ମାଲିକଙ୍କୁ ଠିକ ସମୟରେ ଗାଡ଼ି ପହଞ୍ଚାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ମଣ୍ଡିରେ ଧାନକିଣା ଉପରେ ନଜର ରଖିବେ।ଚାଷୀଙ୍କ ଧାନ ଉପରେ ଅନୁଚିତ କଟନୀ-ଛଟନୀ ନ ହୋଇ, ତାହା ନିଶ୍ଚିତ କରିବାକୁ ସରକାର ବିଶେଷ ଧ୍ୟାନ ଦେଉଛି। ଛୋଟ ଚାଷୀ, ପ୍ରକୃତ ଚାଷୀ ଓ ଭାଗଚାଷୀଙ୍କ ଧାନ କିଣା ପାଇଁ ଏଥର ବିଶେଷ ଗୁରୁତ୍ୱ ଦିଆଯିବ।
ଧାନ ବିକ୍ରି ପରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ହସ୍ତାନ୍ତର ହେବ। ସମସ୍ତ ଜିଲ୍ଲାପାଳଙ୍କୁ ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ପଠାଯାଇଛି। ଧାନ ଚାଷ ଅଞ୍ଚଳଗୁଡ଼ିକର ସାଟେଲାଇଟ୍ ଯାଞ୍ଚ ସମାପ୍ତ ହୋଇଛି ଓ ଆଧାରଭିତ୍ତିକ ପ୍ରମାଣ ଯାଞ୍ଚ ଦ୍ୱାରା ଧାନ ସଂଗ୍ରହ ନିଶ୍ଚିତ କରାଯିବ।୨୦୨୪-୨୫ ଖରିଫ୍ ଋତୁରେ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବାବେଳେ, ଏ ବର୍ଷ ୨ ଲକ୍ଷରୁ ଅଧିକ ନୂଆ ଚାଷୀ ଯୋଗ ହୋଇଛନ୍ତି। ସେଥିପାଇଁ ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ ବୃଦ୍ଧି କରି ଖରିଫ୍ ଓ ରବି ମିଶି ୯୩ ଲକ୍ଷ ମେଟ୍ରିକ୍ ଟନ୍ ରଖାଯାଇଛି।ରାଜ୍ୟ ସରକାର ଆଶା କରୁଛି ଯେ, ଏଥର ଧାନକିଣା ଚାଷୀମାନଙ୍କ ପାଇଁ ଅଧିକ ସୁବିଧାଜନକ ଓ ସମୟୋପଯୋଗୀ ହୋଇବ।

