Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ ହେବା ଘଟଣା ସମ୍ପର୍କରେ ତୀବ୍ର ଚିନ୍ତା ବ୍ୟକ୍ତ କରିଛି ରେଳବାଇ। ରାଉରକେଲାରୁ ହାୱଡ଼ା ଯାଉଥିବା ୨୦୮୭୨ ସଂଖ୍ୟାଯୁକ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାତ୍ରାରମ୍ଭ କରିବାର କିଛି ସମୟ ପରେ ଅଜ୍ଞାତ ବ୍ୟକ୍ତି ଦ୍ୱାରା ପଥର ମାଡ଼ ହୋଇଥିବା ଖବର ମିଳିଛି।ସି-୧୩ କୋଚର ସିଟ୍‌ ସଂଖ୍ୟା ୨୩ ନିକଟରେ ଥିବା ଝରକା କାଚକୁ ଦୁର୍ବୃତ୍ତମାନେ ପଥର ଫିଙ୍ଗିଥିବାରୁ କାଚଟି ଭାଙ୍ଗିଯାଇଛି।

ଏ ସମୟରେ ଝରକା ପାଖରେ ବସିଥିବା ଏକ ଯାତ୍ରୀ ଘଟଣାକୁ ଦେଖି ତୁରନ୍ତ ଟ୍ରେନ୍‌ କର୍ତ୍ତୃପକ୍ଷଙ୍କୁ ସୂଚିତ କରିଥିଲେ।ଟାଟାନଗର ଷ୍ଟେସନ୍‌ ପହଞ୍ଚିବା ପରେ RPF ASI ଆର୍‌. ରାଇ ଘଟଣା ବିଷୟରେ ରେଳ ପ୍ରଶାସନକୁ ଖବର କରିଥିଲେ। ଏହାପରେ ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକାରୀ କିଏ — ଏହା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।

ଚକ୍ରଧରପୁର ରେଳ ମଣ୍ଡଳରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଏଭଳି ପଥରମାଡ଼ ଘଟଣା ପୁନଃପୁନି ଘଟିବାରୁ ରେଳବାଇ ପାଇଁ ଏହା ଗଭୀର ଚିନ୍ତାର କାରଣ ହୋଇପଡ଼ିଛି। ଯାତ୍ରୀମାନେ ମଧ୍ୟ ଲଗାତାର ଆକ୍ରମଣ ପରେ ଭୟଭୀତ ପରିସ୍ଥିତିରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।ରେଳ ପ୍ରଶାସନ ଏପରି ଅସାମାଜିକ କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କୁ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *