Mon. Feb 23rd, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ହେବାକୁ ଯାଉଥିବା ଧ୍ୱଜାରୋହଣ ସମାରୋହକୁ ନେଇ ପବିତ୍ର ନଗରୀରେ ଉତ୍ସାହର ଲହରୀ ଦେଖିବାକୁ ମିଳୁଛି । ସମାରୋହ ପୂର୍ବରୁ ମନ୍ଦିର ପରିସରରେ ହଜାରହଜାର ଶ୍ରଦ୍ଧାଳୁ ଭିଡ ଜମାଇଛନ୍ତି । ପ୍ରଭୁ ରାମଙ୍କ ଦର୍ଶନ ପାଇଁ ସକାଳଠୁ ହିଁ ଲମ୍ବା ଲାଇନ୍ ଦେଖାଯାଉଛି । ସୂଚନାନୁଯାୟୀ, ମଙ୍ଗଳବାର ୨୫ ତାରିଖ ଦିନ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଭବ୍ୟ ଧ୍ୱଜାରୋହଣ ସମାରୋହ ଆୟୋଜିତ ହେବ ।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୟଂ ଯୋଗଦେବେ ଏବଂ ମନ୍ଦିର ଶିଖରରେ ପତାକା ଉଦ୍‌ଘଘୋଷ କରିବେ । ସାରା ସହରରେ ଏହି ଅବସରକୁ ନେଇ ବିଶେଷ ବ୍ୟବସ୍ଥା, ସୁରକ୍ଷା ବଢ଼ାଇବା ସହ ପ୍ରସ୍ତୁତି ଶେଷ କରାଯାଇଛି ।ଜଗଦଗୁରୁ ପରମହଂସ ଆଚାର୍ଯ୍ୟଜୀ ମହାରାଜ କହିଛନ୍ତି, ଅଯୋଧ୍ୟାର ଉନ୍ନତି ଏବଂ ଆଧ୍ୟାତ୍ମିକ ପୁନର୍ଜୀବନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଐତିହାସିକ । ବେଦ ପୁରାଣରେ ବର୍ଣ୍ଣିତ ତ୍ରେତା ଯୁଗର ଅଯୋଧ୍ୟା ଆଜି ବାସ୍ତବ ରୂପ ପାଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ଧ୍ୱଜାରୋହଣକୁ ସମଗ୍ର ରାମଭକ୍ତଙ୍କ ପାଇଁ ଭକ୍ତି ଓ ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ବର୍ଣ୍ଣନା କରିଛନ୍ତି ।ମନ୍ଦିର ଶିଖରରେ ଉଡ଼ିବାକୁ ଥିବା ପତାକା ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା । ସିଲ୍କ କପଡ଼ାରେ ପ୍ରସ୍ତୁତ ହୋଇଥିବା ଏହି ଭବ୍ୟ ପତାକାର ଓଜନ ୪ କିଲୋଗ୍ରାମ ।

ଏଥିରେ ‘ଓମ୍’, ‘ସୂର୍ଯ୍ୟ’ ଓ ‘କାଞ୍ଚନ ବୃକ୍ଷ’ ଭଳି ଶୁଭ ଚିହ୍ନ ଅଙ୍କିତ ଅଛି । ପତାକାଟି ୪୨ ଫୁଟ ଉଚ୍ଚ ଏବଂ ୫୧୦୦ କିଲୋ ଓଜନର ଧ୍ୱଜଦଣ୍ଡରେ ସ୍ଥାପିତ ହେବ ।ଧ୍ୱଜାରୋହଣ ସମାରୋହ ପାଇଁ ପ୍ରାୟ ୭,୦୦୦ ଅତିଥିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଏଥିରେ ବଞ୍ଚିତ ବର୍ଗ, ପଛୁଆ ବର୍ଗ ଏବଂ ଅୱଧ କ୍ଷେତ୍ରର ୧୩ଟି ଜିଲ୍ଲାର ୧୦୮୯ ପ୍ରତିନିଧି ଅନ୍ତର୍ଭୁକ୍ତ ।ଅଯୋଧ୍ୟାରେ ଆସନ୍ତାକାଲିର ଏହି ଐତିହାସିକ ଦିନକୁ ନେଇ ସମଗ୍ର ଦେଶରେ ରାମଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *