Sun. Apr 19th, 2026

ନ୍ୟୁଜ ଡେକ୍ସ :ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟା ‘ସେନୟାର’ର ରୂପ ନେଇଛି। ସକାଳ ସାଢେ ୫ଟାରେ ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଏହା ଗଭୀର ଅବପାତରୁ ବିକାଶ ପାଇ ବାତ୍ୟାରେ ପରିଣତ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ଇଣ୍ଡୋନେସିଆ ଅଞ୍ଚଳରେ ଏହି ବାତ୍ୟା ସୃଷ୍ଟି ହୋଇଛି।

ବାତ୍ୟା ‘ସେନୟାର’ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ ପୂର୍ବ ଦିଗକୁ ମୁଖ ମୁଡ଼ିବ ବୋଲି ଅନୁମାନ କରାଯାଉଛି। ବୁଧବାର ଅପରାହ୍ନରେ ଏହା ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ବାତ୍ୟାଟି ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ପ୍ରାୟ ୧୦୦ କିଲୋମିଟର ଦୂରରେ ଓ ମାଲେସିଆ ଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ଅଛି।ସେପଟେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି।

ଆସନ୍ତା ୨୭ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ତାପମାତ୍ରା କମିବା ଯୋଗୁଁ କିଛି ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇପାରେ। ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷାର କୌଣସି ଭୟ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *