Sun. Apr 19th, 2026

ନ୍ୟୁଜ ଡେକ୍ସ : ସମୟ ବିତିଗଲେ ବି ମନରୁ ଲିଭିନି ସେଇ ଲୋମହର୍ଷଣକାରୀ ସ୍ମୃତି। ୨୬-୧୧-୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୭ ବର୍ଷ ପୂରିଛି। ଏହି ଭୟଙ୍କର ଆକ୍ରମଣରେ ୧୬୬ ଜଣ ନିର୍ଦ୍ଦୋଷ ନାଗରିକ ପ୍ରାଣ ହରାଇଥିବା ବେଳେ ୩୦୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସମୁଦ୍ରପଥେ ମୁମ୍ବାଇରେ ପହଞ୍ଚି ରେଳ ଷ୍ଟେସନ୍, ନରିମାନ ହାଉସ, ହୋଟେଲ୍ ତାଜ ପ୍ୟାଲେସ, ହୋଟେଲ୍ ଓବରଏ ଓ ଲିଓପୋଲଡ କାଫେ ସହ ବିଭିନ୍ନ ସ୍ଥାନରେ ରାତିସାରା ସଂହାର ଲୀଳା ଚଳାଇଥିଲେ।

ସେହି ଭୟାବହ ଦୃଶ୍ୟ ଆଜି ବି ମନେ ପଡିଲେ ପ୍ରତିଟି ଭାରତୀୟଙ୍କ ଶିରଦଣ୍ଡ କାମ୍ପିଉଠେ।ଏହି ଆତଙ୍କବାଦୀ ମାଦକତାରେ ଏକମାତ୍ର ଆତଙ୍କୀ ଅଜମଲ କସାବକୁ ଜୀବନ୍ତ ଧରାଯାଇଥିବା ବେଳେ ବାକି ସମସ୍ତ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା କର୍ମୀ ନିହତ କରିଥିଲେ। ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ୪ ଦିନ ଧରି ଚାଲିଥିଲା ଅଭିଯାନ। ଶେଷରେ ୨୯ ନଭେମ୍ବର ୨୦୦୮ରେ ‘ଅପରେସନ୍ ବ୍ଲାକ୍ ଟର୍ଣ୍ଣାଡୋ’ ସଫଳ ହୋଇଥିଲା। ପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଏହି ଦୁର୍ଭାଗ୍ୟଜନକ ଆକ୍ରମଣର ୧୭ ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ନିର୍ଦ୍ଦୋଷ ନାଗରିକ ଓ ସହିଦ ସୁରକ୍ଷା କର୍ମୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏକ୍ସ (X) ରେ ପୋଷ୍ଟ କରି ଲେଖିଛନ୍ତି—“ଏହି ଦୁର୍ଭାଗ୍ୟଜନକ ଘଟଣାରେ ନିଜର କର୍ତ୍ତବ୍ୟ ପାଳନ କରି ସହିଦ ହୋଇଥିବା ଭାରତ ମାତାର ସମସ୍ତ ସାହସୀ ପୁତ୍ରମାନଙ୍କୁ ହୃଦୟର ସହିତ ପ୍ରଣାମ।”୨୬/୧୧ ମୁମ୍ବାଇ ଆକ୍ରମଣ ଭାରତ ଇତିହାସରେ ସଦାକାଳ ପାଇଁ ଏକ କଳାଦିନ ଭାବରେ ଅଙ୍କିତ ହୋଇରହିବ। ଏହି ଦିନ ଆମକୁ ଆତଙ୍କବାଦ ବିରୋଧୀ ସଂଘର୍ଷରେ ଏକତ୍ରିତ ରହିବାର ସନ୍ଦେଶ ଦେଉଛି।

Leave a Reply

Your email address will not be published. Required fields are marked *