Sat. Feb 21st, 2026

ନ୍ୟୁଜ ଡେକ୍ସ : ଡାକ୍ତରଖାନାକୁ ଯିବା ପାଇଁ ଆଉ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ। ରାଜ୍ୟରେ ଶୀଘ୍ର ଗଡ଼ିବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ। ନୂଆବର୍ଷ ପୂର୍ବରୁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବା ନେଇ ସରକାର ଯୋଜନା କରିଥିବାବେଳେ, ସମସ୍ତ ଗାଡ଼ି ଆସି ସାରିଛି। ବର୍ତ୍ତମାନ ଏହାର ବ୍ରାଣ୍ଡିଂ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।

ନିର୍ଦ୍ଦେଶନାମା ଅନୁଯାୟୀ, ୫ ବର୍ଷ ପୂରଣ କରିଥିବା ୧୧୨ଟି ୧୦୮ ଆମ୍ବୁଲାନ୍ସର ଅବଧି ୨୦୨୬ ଜାନୁଆରୀ ମଧ୍ୟରେ ଶେଷ ହେବ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପୂର୍ବ ହାର କମାଇ ନୂତନ ଗାଡ଼ି ସାମିଲ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।ପୂର୍ବ ସରକାରଙ୍କ ସମୟରେ ମାଗଣା ରୋଗୀସେବାକୁ ଗୁରୁତ୍ୱ ଦେଇ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। କିନ୍ତୁ ପରେ ଯଥେଷ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗାଡ଼ି ନଷ୍ଟ ହୋଇଯାଇଥିବା ସହ ରୋଗୀ ପରିବହନ ସମୟରେ ଦୁର୍ଭୋଗର ସମ୍ମୁଖୀନ ହେବାର ଘଟଣା ବହୁବାର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ପ୍ରାୟ ବର୍ଷେ ଧରି ରାଜ୍ୟର ୪୨୦ଟି ୧୦୮ ଆମ୍ବୁଲାନ୍ସର ସ୍ଥିତି ବେହାଲ ହୋଇପଡ଼ିଛି। ଏହା ସହିତ ଆସନ୍ତା ଚାରି ମାସ ପରେ ପୁଣି ୧୧୨ଟି ଆମ୍ବୁଲାନ୍ସର ଅବଧି ଶେଷ ହେବ। ଏମିତି ସ୍ଥିତିରେ ଆଗାମୀ ମାସରେ ୨୦୦ଟି ନୂଆ ଆମ୍ବୁଲାନ୍ସ ସେବାରେ ସାମିଲ ହେବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅତିରିକ୍ତ ଆମ୍ବୁଲାନ୍ସ ଯୋଗ କରାଯିବାର ଯୋଜନା ମଧ୍ୟ ରହିଛି।ନୂଆ ଆମ୍ବୁଲାନ୍ସ ସାମିଲ ହେଲେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ରୋଗୀମାନେ ଦ୍ରୁତ ଏବଂ ସମୟୋପଯୁକ୍ତ ଚିକିତ୍ସା ସହାୟତା ପାଇପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *