Sat. Feb 21st, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନ ୪ ନମ୍ବର ଆମିଷ ବଜାରକୁ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୪ ନମ୍ବର ମାଛ ମାର୍କେଟରୁ ସମସ୍ତ ଜବରଦଖଲ ହଟିବ ଏବଂ ନୂଆ ଦୋକାନ, ସୁବିଧାଜନକ ପାର୍କିଂ ଓ ରାସ୍ତା ନିର୍ମାଣ କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।ଆଜି ସକାଳେ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ମେୟର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବଜାର ଅଞ୍ଚଳରେ ରହିଥିବା ବେଆଇନ୍ ଘର ଓ ଜବରଦଖଲକୁ ଖୁବଶୀଘ୍ର ଭଙ୍ଗାଯିବ। ସେହିପରି ଆମିଷ ବଜାରରୁ ଉତ୍ପନ୍ନ ହେଉଥିବା ଆବର୍ଜନାକୁ ଏଣେତେଣେ ନ ଫେଙ୍କି, ପ୍ଲାଷ୍ଟିକ୍ ଡ୍ରମ୍‌ରେ ସଂରକ୍ଷଣ କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ନମାନିଲେ ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସତର୍କ କରିଛନ୍ତି।ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଥିଲା। ମାଛ ବଜାରରେ ହେଉଥିବା ପ୍ରବଳ ଭିଡ଼, ବେଆଇନ୍ ପାର୍କିଂ ଏବଂ ଯାନଚଳାଚଳ ସମସ୍ୟା କିପରି ସଠିକ୍ ଭାବେ ପରିଚାଳନା କରାଯିବ, ସେନେଇ ବିଏମସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହି କ୍ରମରେ ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣା ଓ ମେୟର ସୁଲୋଚନା ଦାସ ୪ ନମ୍ବର ମାଛ ମାର୍କେଟକୁ ସ୍ୱୟଂ ଯାଇ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି। ନୂଆ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପରେ ବଜାରର ସଫାସୁଥରା ପରିବେଶ ସହ ଯାତାୟାତ ସୁବିଧା ମଧ୍ୟ ବହୁଗୁଣା ଉନ୍ନତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *