ନ୍ୟୁଜ ଡେକ୍ସ : ମାଲକାନଗିରି ଜିଲ୍ଲାର ଏମ୍ଭି–୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ହୋଇଥିବା ତିବ୍ର ଉତ୍ତେଜନା ପରିପ୍ରେକ୍ଷିତ, ରାଜ୍ୟ ମନ୍ତ୍ରୀ କେଭି ସିଂହଦେଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି। ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି, ADG, DIG ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଦୁଇ ଗାଁର ସ୍ଥିତିକୁ ସମୀକ୍ଷା କରୁଛନ୍ତି।
ଆଦିବାସୀ ନେତାମାନେ ମଧ୍ୟ ଆଲୋଚନାରେ ଯୋଗ ଦେଇ ଶାନ୍ତି ପୁନର୍ବାସ ପାଇଁ ପଦକ୍ଷେପ ନିଆଯାଉଛି।ରାଖେଲଗୁଡ଼ାର ଲାକେ ପୋଡ଼ିଆମୀଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବାକୁ ନେଇ ଦୁଇ ଗାଁରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ବ୍ୟାପି ଯାଇଥିଲା। ଶତାଧିକ ଘର ପୋଡ଼ି ଛାରଖାର ହୋଇଥିବା ପରିସ୍ଥିତିରେ ଗାଁବାସୀମାନେ ପାଉଁଶ ଭିତରୁ ପୁଣି ନୂଆ ଭାବେ ଜୀବନ ସଜାଇବାକୁ ଚେଷ୍ଟା କରୁଛନ୍ତି। ଅନେକଙ୍କ ଘର, ଧାନ, ଝିଅ ବାହାଘର ଯୋଗୁ ରଖିଥିବା ଟଙ୍କା, ତଥା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଉଁଶ ହୋଇଯାଇଛି।
ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି ଏବଂ ପ୍ରଭାବିତ ପରିବାରମାନଙ୍କୁ ରନ୍ଧାଖାଦ୍ୟ ଓ ଶୀତବସ୍ତ୍ର ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି, ଅଫୁଟା ବିସ୍ଫୋରକ ସାମଗ୍ରୀ ମିଳିବା ପରେ ବାହାର ଲୋକଙ୍କ ଯୋଗସାଜସର ସନ୍ଦେହ ଜନ୍ମିଛି ଏବଂ ପୁଲିସ ସମସ୍ତ ପରିଦୃଶ୍ୟକୁ ନଜରରେ ରଖି ତଦନ୍ତ କରୁଛି।ସ୍ଥିତି ନିୟନ୍ତ୍ରଣ ପାଇଁ ଏମ୍ଭି–୨୬ ଚାରିପଟେ ୨୦ କମ୍ପାନୀ ସିଆର୍ପିଏଫ୍ ମୁତୟନ କରାଯାଇଛି।ଏହି ବିବାଦକୁ ନେଇ ଜିଲ୍ଲା ପ୍ରଶାସନ ମାଲକାନଗିରିରେ ଇଣ୍ଟରନେଟ୍ କଟକଣାକୁ ଆଉ ୧୨ ଘଣ୍ଟା ବଢ଼ାଇଛି। ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ଅଞ୍ଚଳରେ ଶାନ୍ତି ଫେରିବାର ସଙ୍କେତ ମିଳୁଥିଲେମଧ୍ୟ ପ୍ରଶାସନ କୋଣସି ଝୁଲୁଣ୍ଣି ନେବାକୁ ଚାହୁଁନାହିଁ।ବୁଧବାର ଅନୁଷ୍ଠିତ ଶାନ୍ତି ବୈଠକର ପରେ କିଛି ବଙ୍ଗାଳି ସମ୍ପ୍ରଦାୟ ଲୋକ ଏମ୍ଭି–୨୬କୁ ପୁଣି ଫେରିଛନ୍ତି ଏବଂ ତାଙ୍କ ଜୀବନକୁ ପୁନର୍ବାର ସ୍ଥିର କରିବାରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଅଞ୍ଚଳରେ ଆଇନ–ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ଏବଂ ଦୁଇ ସମ୍ମୁଦାୟ ମଧ୍ୟରେ ଶାନ୍ତି ପୁନସ୍ଥାପନ ହେବା ପ୍ରଶାସନର ପ୍ରଥମିକ ଲକ୍ଷ୍ୟ।

