Wed. Feb 25th, 2026

ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନାଞ୍ଚଳ ମହଗାଁ ସିଲଣ୍ଡା କେନାଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବଗିଚାରେ ବନ ବିଭାଗ ଚଢ଼ାଉ କରି ବହୁଳ ପରିମାଣର କେନ୍ଦୁ ଓ ଖଇର କାଠ ଜବତ କରିଛି। ଜବତ ହୋଇଥିବା କାଠର ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ରହିଥିବା ବିଭାଗ ସୂଚନା ଦେଇଛି। ସମ୍ପୂର୍ଣ୍ଣ ଗଣ୍ଡିକୁ ଟ୍ରାକ୍ଟର ଯୋଗେ ବଙ୍ଗୋମୁଣ୍ଡା ରେଞ୍ଜେର କାର୍ଯ୍ୟାଳୟକୁ ପଠାଯାଇଛି। ବଗିଚା କାହାର ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବନ ବିଭାଗ ଖବର ପାଇଥିଲା ଯେ, ମହଗାଁ ସିଲଣ୍ଡା କେନାଲ ପାଶରେ ଥିବା ଦେବଦାରୁ ବଗିଚା ପ୍ରାନ୍ତରେ କାଠ ମାଫିଆମାନେ ବେଆଇନ୍ ଭାବରେ କେନ୍ଦୁ ଓ ଖଇର କାଠ ସଞ୍ଚୟ କରି ରଖିଥିଲେ। ଏହି ସୂଚନାର ଆଧାରରେ ବଙ୍ଗୋମୁଣ୍ଡା ରେଞ୍ଜେର ପଦ୍ମନାଭ କୁମ୍ଭାର ଓ ସିନ୍ଧେକେଲା ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶରେ ବିଶେଷ ଚଢ଼ାଉ ଚାଲିଥିଲା।

ଚଢ଼ାଉ ସମୟରେ ବିଭାଗ ଅନ୍ୟ ଏକ ଅବୈଧ କାରିଗରୀ ଚାଳିଥିବା ଚିହ୍ନଟ କଲା ଉକ୍ତ ବଗିଚା ଭିତରେ ଗୋଟିଏ ବେଆଇନ୍ ଇଟା ଭାଟି ମଧ୍ୟ ଚାଲୁ ଅବସ୍ଥାରେ ମିଳିଛି। ଇଟା ଭାଟି ମାଲିକ ଏବେ ବନ ବିଭାଗର ସନ୍ଦେହ ଘେରରେ ରହିଛନ୍ତି। ଜବତ ହୋଇଥିବା କାଠ ମଧ୍ୟ ସେହି ବ୍ୟକ୍ତିଙ୍କର ହୋଇପାରେ ବୋଲି ବିଭାଗ ପ୍ରାଥମିକ ଧାରଣା କରୁଛି। ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି ଓ ଦୋଷୀଙ୍କ ବିରୋଧରେ କଡା ବନାଇନ ମାମଲା ରୁଜୁ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *