ନ୍ୟୁଜ ଡେକ୍ସ : ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର୍ରେ ଶନିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଭୟଙ୍କର ଆତଙ୍କ ସୃଷ୍ଟି କଲା। ସକାଳ ୮.୫୦ରେ “ନୋ ଲିମିଟ୍ ବାର୍”ର ଛାତ ଉପରୁ ନିଆଁ ଲାଗିବାରୁ ମିନିଟ୍ ମଧ୍ୟରେ ସମଗ୍ର ବିଲ୍ଡିଂ ଧୂଆଁରେ ଛାଇଯାଇଥିଲା। ଘଟଣାସ୍ଥଳର ଭିଡିଓ ଏବଂ ଚିତ୍ରରୁ ବାର୍ଟିକୁ ହୁତୁହୁତୁ ଜଳୁଥିବା ଦେଖିବାକୁ ମିଳିଛି।ଖବର ପାଇ ସତର୍କ ହୋଇ ଅଗ୍ନିଶମ ବିଭାଗର ୫ଟି ଟିମ୍ ତତ୍କ୍ଷଣାତ୍ ସ୍ଥଳକୁ ପହଞ୍ଚି ନିଆଁ ନିବାପଣ କାମରେ ନିଯୁକ୍ତ ହୋଇଥିଲେ।
ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀ କହିଛନ୍ତି ଯେ ପ୍ରାୟ ଘଣ୍ଟାଏ ପ୍ରଚେଷ୍ଟା ପରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଛି। ଯେଉଁଥିରେ କୌଣସି ଜଣଙ୍କ ଜୀବହାନି ହୋଇନଥିଲା। ତେବେ ବାର୍ ଭିତର ଏବଂ ଛାତ ଭାଗରେ ମହତ୍ତ୍ୱପୂର୍ଣ୍ଣ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। କ୍ଷୟକ୍ଷତିର ପୂର୍ଣ୍ଣ ଆକଳନ ଏହିପର୍ଯ୍ୟନ୍ତ ହୋଇନାହିଁ।ଏଣୁଯାଏଁ ଅଗ୍ନିକାଣ୍ଡର ସଠିକ୍ କାରଣ ସ୍ପଷ୍ଟ ନୁହେଁ। କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ଗୁରୁତର ଅଭିଯୋଗ ଉଠାଇ କହିଛନ୍ତି ଯେ ବାରରେ ନ ହୋଇପାରେ ଅଗ୍ନିଶମ ବିଭାଗର ଲାଇସେନ୍ସ ଓ ସୁରକ୍ଷା ସଜ୍ଜା।
ତାସହିତ ଏଠାରେ ବେଆଇନ ଭାବରେ ହୁକ୍କା ବାର୍ ଚାଲୁଥିବା ପ୍ରମାଣ ମିଳିଛି। ଅବକାରୀ ବିଭାଗ ସୂଚନା ଦେଇଛି ଯେ ବାର୍କୁ ଲାଇସେନ୍ସ ମଞ୍ଜୁରି ଦିଆଯାଇନଥିଲା। ସ୍ଥାନୀୟମାନେ ପ୍ରଶ୍ନ ଉଠାଇଛନ୍ତି—କେମିତି ବେଆଇନ ଭାବେ ବାର୍ଟି ଚାଲୁଥିଲା? କିଏ ଦାୟୀ?ଏହାର ସବିଷ୍ତାର ତଦନ୍ତ ଓ ଦୋଷୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଜୋରଦାର ହୋଇଛି।ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛନ୍ତି।

