Thu. Feb 26th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଐତିହ୍ୟ ସମୃଦ୍ଧ ଖଣ୍ଡଗିରି–ଉଦୟଗିରି ପାହାଡ଼ ଅଞ୍ଚଳରେ ଅବସ୍ଥିତ ପଞ୍ଚତୀର୍ଥ କୁଣ୍ଡ ଆଜି ନଜର ଆଢ଼ୁଆଳରେ ପଡ଼ି ରହିଛି। ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ—ଏହି ପାଞ୍ଚଟି ଐତିହାସିକ କୁଣ୍ଡ ସହିତ ଜଡିତ ଅଛି ଅନେକ ଇତିହାସ, ଲୋକକଥା ଓ କିମ୍ବଦନ୍ତୀ। କିନ୍ତୁ ଦୁଃଖର ବିଷୟ, ଏହାର ମହତ୍ତ୍ୱ ଓ ଦୁରବସ୍ଥା ସମ୍ପର୍କରେ ସାଧାରଣ ଲୋକ ଅବଗତ ନୁହେଁ।

ମାଘ ମେଳା ବା କୁମ୍ଭମେଳା ସମୟରେ ମାତ୍ର ଏହି ଅଞ୍ଚଳ ଚର୍ଚ୍ଚାରେ ଆସେ। ଟିଭି ଓ ଖବରକାଗଜରେ ଖବର ହୁଏ, ବିଭିନ୍ନ ମତାମତ ଆସେ। ପର୍ଯ୍ୟଟକ ମାନେ ଇତିହାସ ଜାଣିବାଠାରୁ ଅଧିକ ଫଟୋ ଉଠାଇବାକୁ ଆସନ୍ତି। କିନ୍ତୁ ବାକି ସାରା ବର୍ଷ ଏହି ପଞ୍ଚତୀର୍ଥ କୁଣ୍ଡଗୁଡ଼ିକୁ କେହି ପଚାରେନି।ସ୍ଥାନୀୟ ଲୋକଙ୍କ ଅଭିଯୋଗ, ନ ଲୋକେ ଯାଉଛନ୍ତି, ନ ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଅଧିକାରୀଙ୍କ ପାଦ ପଡ଼ୁଛି। ଦିନକୁ ଦିନ କୁଣ୍ଡଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ପୂର୍ବରୁ କାଚକେନ୍ଦୁ ପରି ସ୍ୱଚ୍ଛ ଥିବା ପାଣି ଏବେ ପଚା କଳା ପାଣିରେ ପରିଣତ ହୋଇଛି। ପାଣିରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକେ ନିକଟକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି।

ଧାର୍ମିକ ବିଶ୍ୱାସ ଅନୁଯାୟୀ, କୁମ୍ଭମେଳା ସମୟରେ ଏଠାରେ ବୁଡ଼ ପକାଇଲେ ତ୍ରିବେଣୀ ସଙ୍ଗମର ସ୍ନାନ ସମାନ ପୁଣ୍ୟ ମିଳେ। ପଞ୍ଚ କୁଣ୍ଡ ଥିବାରୁ ଏହାକୁ ‘ପଞ୍ଚତୀର୍ଥ’ ଭାବେ ବିବେଚନା କରାଯାଏ। ଏଠାରେ ସ୍ନାନ କଲେ ରୋଗ, ଶୋକରୁ ମୁକ୍ତି ସହ ମୋକ୍ଷପ୍ରାପ୍ତି ହୁଏ ବୋଲି ଲୋକମନ୍ୟତା ରହିଛି। କିନ୍ତୁ ବର୍ତ୍ତମାନ ଏହି ପବିତ୍ର କୁଣ୍ଡଗୁଡ଼ିକର ହାଲ୍ ପୂରା ବେହାଲ।ଖଣ୍ଡଗିରି ପାହାଡ଼ରେ ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ଥିବାବେଳେ ଉଦୟଗିରିରେ ଅବସ୍ଥିତ ଲଳିତାକୁଣ୍ଡ। ଏହାମଧ୍ୟରୁ ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ମଣିଷକୃତ ଜଳାଶୟ। ସମ୍ରାଟ ଖାରବେଳଙ୍କ ସମୟରେ ମୁନିଋଷି ଓ ସାଧୁସନ୍ଥଙ୍କ ବ୍ୟବହାର ପାଇଁ ଏହି କୁଣ୍ଡଗୁଡ଼ିକ ଖୋଳା ଯାଇଥିଲା।ଗୁପ୍ତଗଙ୍ଗାରେ ଏବେ ପାଣି ନାହିଁ, ନ ପହଞ୍ଚିବାକୁ ଠିକ୍‌ ରାସ୍ତା।

ମାଘସପ୍ତମୀ ରାତିରେ ପ୍ରଭୁ ଅନନ୍ତ କେଶରୀ ଲଳିତାକୁଣ୍ଡରେ ଚାପ ଖେଳିବାର ପୁରୁଣା ବିଧି ଥିଲା। କିନ୍ତୁ ମଇଳା ପାଣି ଓ ରାସ୍ତା ବନ୍ଦ ଥିବାରୁ ସେହି ନୀତି ଏବେ ସଦାକାଳ ପାଇଁ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଆସନ୍ତା ଜାନୁଆରୀ ୨୩ରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେବ। ଆଉ ମାତ୍ର ଏକ ମାସ ବାକି ରହିଛି। ସେହି ମଧ୍ୟରେ ଯଦି କୁଣ୍ଡଗୁଡ଼ିକ ସଫା ଓ ସଂରକ୍ଷିତ ନହୁଏ, ତେବେ ସାଧୁସନ୍ଥମାନେ ପଚା ପାଣିରେ ପଞ୍ଚତୀର୍ଥ ସ୍ନାନ କରିବାକୁ ବାଧ୍ୟ ହେବେ।ଯଦି ସମୟରେ ପଦକ୍ଷେପ ନିଆଯାଏ ନାହିଁ, ଦିନ ଆସିବ ଖଣ୍ଡଗିରି ଉଦୟଗିରିର ପଞ୍ଚତୀର୍ଥ କୁଣ୍ଡ କେବଳ ଫଟୋଚିତ୍ର ଓ ପୁସ୍ତକର ପୃଷ୍ଠାରେ ମାତ୍ର ସୀମିତ ରହିଯିବ, ଆଉ ବାସ୍ତବରେ କୁଣ୍ଡ ରହିବେ ନାହିଁ।

Leave a Reply

Your email address will not be published. Required fields are marked *