ନ୍ୟୁଜ ଡେକ୍ସ : ପୁଣି ଥରେ ଡ୍ରେସ୍, ଶାଢୀ ଓ ଧୋତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ବ୍ୟବହାର କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରାମକୃଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସ୍ ଓ ଶାଢୀ ସମ୍ବନ୍ଧୀୟ କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ନଜରକୁ ଆସିଛି। ଏହି ପୋଷ୍ଟଗୁଡ଼ିକ ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଥିବା ଅଭିଯୋଗ ଉଠିଛି।ତେବେ ଏହା କୌଣସି ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକଥର ଡ୍ରେସ୍, ଶାଢୀ, ଧୋତି ଆଦିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ନିକଟରେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତିଛବି ଥିବା ଧୋତି ପିନ୍ଧି ବଡଦାଣ୍ଡରେ କୀର୍ତ୍ତନ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି। ଏପରି କାର୍ଯ୍ୟକଳାପ ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଦାବି କରାଯାଇଛି।

