ନ୍ୟୁଜ ଡେକ୍ସ : ଗୋଆର ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଉଠିଛି ଓଡ଼ିଶା ଅବକାରୀ ବିଭାଗ। ରାଜଧାନୀ ଭୁବନେଶ୍ୱରର ପ୍ରତ୍ୟେକଟି ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି ବିଭାଗ। ଏହି ପ୍ରସଙ୍ଗରେ ଶନିବାର ବିଳମ୍ବିତ ରାତିରେ ଅବକାରୀ ବିଭାଗର ୭ ଜଣିଆ ଟିମ୍ ରାଜଧାନୀର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରିଛି।ଦିନ ସମୟରେ କମିଶନରେଟ୍ ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ୱାରା ଯାଞ୍ଚ ଚାଲିଥିବା ବେଳେ, ରାତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି।
ଭୁବନେଶ୍ୱରର ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟକୁ ଦିଆଯାଇଥିବା ଗାଇଡ୍ଲାଇନ୍ ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଲାଇସେନ୍ସ ଓ ଅନ୍ୟାନ୍ୟ ନିୟମାବଳୀ ଉପରେ କଢ଼ା ନଜର ରଖାଯାଇଛି।ସୂଚନାଯୋଗ୍ୟ ଯେ, ଗୋଆର ଏକ ନାଇଟ୍ କ୍ଲବରେ ଘଟିଥିବା ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨୦ ଜଣ କର୍ମଚାରୀ ଓ ୫ ଜଣ ପର୍ଯ୍ୟଟକ ଥିଲେ। ଏହି ଦୁର୍ଘଟଣା ପରେ କ୍ଲବ ମାଲିକ ସୌରଭ ଓ ଗୌରବ ଲୁଥ୍ରା କିଛି ଘଣ୍ଟା ମଧ୍ୟରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ହୋଇ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ।
ପରେ ଏହି ଦୁଇ ଭାଇଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ସେମାନେ ଦିଲ୍ଲୀ କୋର୍ଟରେ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଥିଲେ। ତେବେ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ବନ୍ଦନା ଲୁଥରା ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।ଏହି ଘଟଣା ପରେ ଓଡ଼ିଶାରେ ଯେପରି ଏଭଳି ଦୁର୍ଘଟଣା ଘଟିବ ନାହିଁ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଉପରେ କଢ଼ା ନିରୀକ୍ଷଣ ଜାରି ରହିଛି।

