ନ୍ୟୁଜ ଡେକ୍ସ :ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରୀରେ ଦେଖାଦେଇଥିବା ଫାଟ ପ୍ରସଙ୍ଗକୁ ନେଇ ଆଇନ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ମେଘନାଦ ପାଚେରୀ ସମସ୍ୟା ପୁରୁଣା ଏବଂ ଏହାର ସମ୍ପୂର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ନିରାକରଣ ହୋଇନାହିଁ।ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପୁରାତତ୍ତ୍ୱ ସର୍ଭେ (ଏଏସଆଇ)କୁ ଚିଠି ଲେଖାଯାଇଛି।
ଆସନ୍ତା ମଙ୍ଗଳବାର ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ଏପର୍ଯ୍ୟନ୍ତ କେଉଁ କେଉଁ ପଦକ୍ଷେପ ନିଆଯାଇଛି ତାହା ସମୀକ୍ଷା କରାଯିବ।ଆଇନ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଦିଲ୍ଲୀରେ ଥିବା ଏଏସଆଇର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ। ମେଘନାଦ ପାଚେରୀରେ ପୂର୍ବରୁ ଯେଉଁଠି ଫାଟ ଦେଖାଦେଇଥିଲା, ସେଗୁଡ଼ିକୁ ଅନୁଧ୍ୟାନ କରି ମରାମତି କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ତେବେ ପୁଣି ଥରେ ସମ୍ପୂର୍ଣ୍ଣ ନିରୀକ୍ଷଣ ପରେ ଫାଟ ପୂରଣ ଓ ସଂରକ୍ଷଣ କାମ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।
ପାଚେରୀର ସୁରକ୍ଷା ଓ ସ୍ଥାୟୀତ୍ୱ ପାଇଁ ଆବଶ୍ୟକ ପଡ଼ିଲେ ପଥର ବଦଳ କରାଯାଇପାରିବ କି ନାହିଁ, ସେଥିପାଇଁ ଟିକିନିଖି ନିରୀକ୍ଷଣ କରିବାକୁ ମଧ୍ୟ ଏଏସଆଇକୁ ଚିଠି ଲେଖାଯାଇଛି।ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମିଶି ମେଘନାଦ ପାଚେରୀର ସଂରକ୍ଷଣ ଓ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

