Mon. Feb 23rd, 2026

ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ମଙ୍ଗଳବାର ଭୋରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସାତଟି ବସ୍ ଓ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି। ଧକ୍କା ପରେ ବସ୍ ଓ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା, ଫଳରେ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଦୁର୍ଘଟଣାରେ ଅତି କମରେ ୪ ଜଣ ପୋଡ଼ି ମୃତ୍ୟୁ ହୋଇଥିବା ଜିଲା ମାଜିଷ୍ଟ୍ରେଟ୍ (ଡିଏମ୍) ନିଶ୍ଚିତ କରିଛନ୍ତି। ସେଥିସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମାଇଲ୍ ଷ୍ଟୋନ୍ ୧୨୭ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି କାରଣରୁ ଦୃଶ୍ୟମାନତା କମ୍ ଥିବା ବେଳେ ଏକ ପରେ ଏକ ଗାଡ଼ି ଧକ୍କା ହୋଇଥିଲା।ଘଟଣା ଖବର ପାଇ ଜିଲା ମାଜିଷ୍ଟ୍ରେଟ୍ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ପି) ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଓ ଏସଡିଆରଏଫ୍ ଟିମ୍ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗୁଳି ଫୁଟିବା ପରି ଭୟଙ୍କର ଶବ୍ଦ ସହ ଅନେକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲା ଏବଂ ତୁରନ୍ତ ଜୋରଦାର ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଗ୍ରାମବାସୀମାନେ ଦୌଡ଼ି ଆସି ଆହତମାନଙ୍କୁ ସହାୟତା କରିଥିଲେ।ଆମ୍ବୁଲାନ୍ସ କର୍ମଚାରୀ ଅମିତ କୁମାର କହିଛନ୍ତି ଯେ ପ୍ରାୟ ୧୫୦ ଜଣଙ୍କୁ ୨୦ଟି ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ନେଯାଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *