ନ୍ୟୁଜ ଡେକ୍ସ : ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ତେଲ ଅଭିଭରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ଅଷ୍ଟ୍ରେଲିଆର ବଣ୍ଡି ବିଚ୍ରେ ହନୁକା ଉତ୍ସବ ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜୀବନ ଓ ସମ୍ପତ୍ତି କ୍ଷତି ପାଇଁ ସମବେଦନା ଜଣାଇଛନ୍ତି।ଇସ୍ରାଏଲୀ ବୈଦେଶିକ ମନ୍ତ୍ରୀ ଗିଦୋନ ମୋଶୋ ସାରଙ୍କ ସହ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଜୟଶଙ୍କର କହିଥିଲେ, “ଭାରତ ଏହି ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରେ। ଆତଙ୍କବାଦର ସମସ୍ତ ପ୍ରକାର ଓ ଅଭିବ୍ୟକ୍ତି ବିରୋଧରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି।”
ଆତଙ୍କବାଦ ବିରୋଧରେ ଭାରତକୁ ଇସ୍ରାଏଲ ଦେଇଆସୁଥିବା ନିରନ୍ତର ସମର୍ଥନ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ।ଏହି ଅବସରରେ ଜୟଶଙ୍କର ଗାଜା ଶାନ୍ତି ଯୋଜନା ପ୍ରତି ଭାରତର ସମର୍ଥନକୁ ପୁନଃଦୋହରାଇଥିଲେ। ସେ କହିଥିଲେ ଯେ, ଏହି ପଦକ୍ଷେପ ଆଗାମୀ ଦିନରେ ଏକ ସ୍ଥାୟୀ ଓ ଦୀର୍ଘକାଳୀନ ସମାଧାନକୁ ନେଇଯିବ ବୋଲି ଭାରତ ଆଶା କରୁଛି। ଜେରୁସାଲେମରେ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ଦକ୍ଷତା ଓ ପ୍ରତିଭା, ସଂଯୋଗୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ। ଆଞ୍ଚଳିକ ଏବଂ ବିଶ୍ୱ ଘଟଣାବଳୀ ଉପରେ ମତବିନିମୟକୁ ସେ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ।
ଏହା ସହ ଜୟଶଙ୍କର ଇସ୍ରାଏଲର ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କୁ ମଧ୍ୟ ଭେଟିଥିଲେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାର୍ଦ୍ଦିକ ଶୁଭେଚ୍ଛା ପହଞ୍ଚାଇଥିଲେ। ଉଭୟ ପକ୍ଷ ଭାରତ–ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ସହ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଭାରତର ଅଟଳ ସମର୍ଥନକୁ ପୁନଃଦୋହରାଇଥିଲେ। ବୈଦେଶିକ ମନ୍ତ୍ରୀ କହିଥିଲେ, “ଭାରତ ଓ ଇସ୍ରାଏଲ ମଧ୍ୟରେ ରଣନୈତିକ ସହଭାଗୀତା ଆଗାମୀ ଦିନରେ ଆହୁରି ଦୃଢ଼ ଓ ଗଭୀର ହେବ।”

