Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦେଶର ରାଜଧାନୀ ଦିଲ୍ଲୀ ଭୟାବହ ବାୟୁ ପ୍ରଦୂଷଣର ଘେରାଉରେ ପଡ଼ିଛି। ବଢୁଥିବା ପ୍ରଦୂଷଣ ଯୋଗୁଁ ସାଧାରଣ ଜୀବନ ଅସ୍ଥବିସ୍ଥ ହୋଇପଡ଼ିଥିବାବେଳେ, ଲୋକମାନେ ଶ୍ୱାସକଷ୍ଟ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ କଠୋର ପଦକ୍ଷେପ ନେଇଛନ୍ତି।ସରକାରୀ ଓ ବେସରକାରୀ ସମସ୍ତ ପ୍ରତିଷ୍ଠାନରେ ୫୦% କର୍ମଚାରୀଙ୍କ ପାଇଁ ‘ଘରୁ କାମ’ (Work From Home) ବାଧ୍ୟତାମୂଳକ କରାଯାଇଛି।

ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ। ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ସଂପୃକ୍ତ ପ୍ରତିଷ୍ଠାନକୁ ଭାରି ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ସଚେତନ କରିଛନ୍ତି।ତେବେ ଏହି ନିୟମ ହସ୍ପିଟାଲ, ଅଗ୍ନିଶମ ବିଭାଗ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ଅତ୍ୟାବଶ୍ୟକ ସେବା ଉପରେ ପ୍ରଯୁଜ୍ୟ ହେବ ନାହିଁ। ଅନ୍ୟପଟେ, ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ମଧ୍ୟ ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାହାତ ପ୍ୟାକେଜ୍ ଘୋଷଣା କରିଛି। ଗ୍ରେପ୍-୩ ଅଧୀନରେ ୧୬ ଦିନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାରୁ, ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ।

ଏହି ଟଙ୍କା ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ଜମା କରାଯିବ ବୋଲି ସରକାର ସୁନିଶ୍ଚିତ କରିଛନ୍ତି।ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି ଯେ ଦିଲ୍ଲୀରେ ଗ୍ରେପ୍-୪ କାର୍ଯ୍ୟକାରୀ ହୋଇଛି। CAQM ଓ ପରିବେଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପ୍ରତିଷ୍ଠାନରେ ଉପସ୍ଥିତି ୫୦% ପର୍ଯ୍ୟନ୍ତ ସୀମିତ ରହିବ।ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *