Thu. Feb 26th, 2026

ନ୍ୟୁଜ ଡେକ୍ସ : ଆଜି ସାରା ରାଜ୍ୟରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)–୨୦୨୫ ସୁଚାରୁ ଭାବେ ଆରମ୍ଭ ହୋଇଛି। ରାଜ୍ୟର ୪୫୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଚାଲିଥିବାବେଳେ, ସମୁଦାୟ ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି।ଓଟିଇଟି ପେପର–୧ରେ ୪୭ ହଜାର ୭୨୦ ଜଣ ଓ ପେପର–୨ରେ ୧ ଲକ୍ଷ ୧୨ ହଜାର ୬୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ–ଶିକ୍ଷୟିତ୍ରୀ ଅଛନ୍ତି। ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ–ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି।ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ନିମିତ୍ତେ ସମସ୍ତ ୪୫୨ଟି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଏହାସହ ଏଆଇ କ୍ୟାମେରା ମାଧ୍ୟମରେ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ବୋର୍ଡ କାର୍ଯ୍ୟାଳୟର କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଲଗାତାର ମନିଟରିଂ କରାଯାଉଛି। ଗତ ୧୪ ତାରିଖରୁ ଡିଜି ଲକର ମାଧ୍ୟମରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯାଇଥିବାବେଳେ, ୩୦ଟି ଜିଲ୍ଲା ପାଇଁ ୪୦ଟି ରୁଟରେ ଆର୍ମଡ ପୁଲିସ ସହିତ ପ୍ରଶ୍ନପତ୍ର ପରିବହନ କରାଯାଇଛି।

ଓଟିଇଟି ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ଶେଷ ହୋଇଥିବାବେଳେ, ଦ୍ୱିତୀୟ ପେପର ପରୀକ୍ଷା ଦିନ ସାଢ଼େ ୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଉଭୟ ପେପରରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ୫୦ ମିନିଟ ଅଧିକ ସମୟ ପ୍ରଦାନ କରାଯାଇଛି।ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ଓଟିଇଟି–୨୦୨୫ ପରୀକ୍ଷା ଚାଲିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *