ନ୍ୟୁଜ ଡେକ୍ସ :କନ୍ଧମାଳ ଜିଲ୍ଲାରେ ଗତ ପ୍ରାୟ ଦୁଇ ସପ୍ତାହ ଧରି ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ଶୀତର ପ୍ରକୋପ ଅଧିକ ବଢ଼ିଯାଇଛି। ଆଜି ପାଗରେ ପରିବର୍ତ୍ତନ ଦେଖାଦେଇଛି। ସନ୍ଧ୍ୟା ୮ଟାରୁ ଶୀତ ସହ କୁହୁଡ଼ି ମାଡ଼ି ଆସୁଥିବା ବେଳେ, ସକାଳୁ ଘନ କୁହୁଡ଼ି ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।ଅସହ୍ୟ ଶୀତରୁ ବଞ୍ଚିବା ପାଇଁ ସହର ଅଞ୍ଚଳର ଯୁବକମାନେ ନିଆଁର ସାହାରା ନେଉଥିବା ସହ ଚା’ର ଆସର ଜମାଇଛନ୍ତି।
ତେବେ ଅନ୍ୟପଟେ ସ୍ଥାନୀୟ ଲୋକେ ପଡ଼ିଆରେ ବ୍ୟାୟାମ କରିବା ସହ ପ୍ରାତଃଭ୍ରମଣ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।ଗତକାଲି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଖୁବ ତଳକୁ ଖସିଥିଲା। ଫୁଲବାଣୀରେ ୭.୦ ଡିଗ୍ରୀ ସେଲସିଅସ, ଦାରିଙ୍ଗିବାଡ଼ିରେ ୭.୬ ଡିଗ୍ରୀ ଏବଂ ଜି. ଉଦୟଗିରିରେ ୭.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି।
ପ୍ରବଳ ଶୀତ ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସନ୍ଧ୍ୟା ହେଲେ କାଲୁଆ ଥଣ୍ଡା ମାଡ଼ି ଆସୁଥିବାରୁ ରାତି ୮ଟା ପରେ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ସହର ହେଉ କି ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ଶୀତର କର୍ଫ୍ୟୁ ଜାରି ରହିଛି। ପରିସ୍ଥିତି ଏମିତି ଯେ ପ୍ରବଳ ଥଣ୍ଡା ହେତୁ ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି।

