ନ୍ୟୁଜ ଡେକ୍ସ : ହେଲମେଟ୍ ନ ପିନ୍ଧିବା, ବେପରୁଆ ଭାବେ ଗାଡ଼ି ଚଳାଇବା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କ ପାଇଁ ଏଣିକି ରାଜ୍ୟରେ କଡ଼ା ହେବ କାର୍ଯ୍ୟାନୁଷ୍ଠାନ। ରାଜ୍ୟ ସଡ଼କ ପ୍ରାଧିକରଣ ପକ୍ଷରୁ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ଗାଡ଼ିର ରେଜିଷ୍ଟ୍ରେସନ୍ ବାତିଲ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ମଦ ପିଇ ଗାଡ଼ି ଚଳାଇବା, ଅତିରିକ୍ତ ବେଗରେ ଗାଡ଼ି ଚଳାଇବା, ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ଆହତ ଘଟଣା ଘଟିଲେ ସମ୍ପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଗାଡ଼ିର ଆର୍ସି ବି ବାତିଲ କରାଯିବ ବୋଲି ପରିବହନ ବିଭାଗ ସୂଚନା ଦେଇଛି।ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥି ପୋର୍ଟାଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାରେ ଅବହେଳା କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସଡ଼କ ପ୍ରାଧିକରଣ ପକ୍ଷରୁ ୨୫.୮.୨୦୧୫ ଓ ୧୫.୬.୨୦୨୫ ତାରିଖରେ ଦୁଇଟି ସର୍କୁଲାର ଜାରି କରାଯାଇଛି। ୧୦ ବର୍ଷ ପୂର୍ବରୁ ଜାରି ହୋଇଥିବା ସର୍କୁଲାରରେ ବି ଏହିପରି କଡ଼ା ନିୟମର କଥା ଥିଲା।
କିନ୍ତୁ ଦୀର୍ଘ ସମୟ ହେଲା ସତ୍ତ୍ୱେ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକରୀ ହୋଇନଥିବାରୁ ବେପରୁଆ ଚାଳକମାନେ ନିର୍ଭୟରେ ଗାଡ଼ି ଚଳାଉଛନ୍ତି।ବିଶେଷଜ୍ଞମାନଙ୍କ ମତରେ, କେବଳ ଲାଇସେନ୍ସ ବାତିଲ ନୁହେଁ, ସମସ୍ତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକରୀ କରିବା ଆବଶ୍ୟକ। ସର୍କୁଲାର ଜାରି ପରେ କିଛିଦିନ ପର୍ଯ୍ୟନ୍ତ ପରିବହନ ବିଭାଗ ସଜାଗ ରହୁଥିବା ବେଳେ, ପରେ ନିୟମ କେବଳ କାଗଜ-କଲମରେ ସୀମିତ ରହିଯାଉଛି ବୋଲି ମଧ୍ୟ ସେମାନେ ମତ ପ୍ରକାଶ କରିଛନ୍ତି।

