Thu. Feb 26th, 2026

ନ୍ୟୁଜ ଡେକ୍ସ : ଆପାର୍ଟମେଣ୍ଟ କ୍ରେତାମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆଶ୍ୱାସନ ଦେଇଛନ୍ତି। ଏଣିକି ବିଲ୍ଡରଙ୍କ ମନମାନି ଚଳିବ ନାହିଁ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଥିବା ଦୀର୍ଘଦିନର ଦ୍ୱନ୍ଦ୍ଵର ସମାଧାନ ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣ ପ୍ରକ୍ରିୟାକୁ ସହଜ ଓ ସ୍ପଷ୍ଟ କରିଛନ୍ତି।ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ଏଣିକି ସିଧାସଳଖ ବାସଗୃହ କ୍ରେତାଙ୍କ ହାତକୁ ଯିବ।

ଆପାର୍ଟମେଣ୍ଟର ଲିଫ୍ଟ, ସିଢ଼ି, କରିଡୋର, ପାର୍କିଂ, ଗାର୍ଡେନ, କମ୍ୟୁନିଟି ସ୍ପେସ୍ ଭଳି ସମସ୍ତ କମନ ଏରିଆ ‘ଆସୋସିଏସନ୍ ଅଫ ଆଲଟିଜ୍’ ବା ବାସଗୃହ କ୍ରେତାଙ୍କ ସଂଘ ନାମରେ ପଞ୍ଜୀକୃତ ହେବ।ରାଜସ୍ବ ବିଭାଗ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ, ସମ୍ପୂର୍ଣ୍ଣ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପର କମନ ଏରିଆ ରେଜିଷ୍ଟ୍ରେସନ୍‌ ପାଇଁ ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି ଦେବାକୁ ପଡ଼ିବ। ଏଥିପାଇଁ ରେଜିଷ୍ଟ୍ରେସନ୍ ନିୟମରେ ସଂଶୋଧନ ଆଣାଯାଇଛି। ଉଲ୍ଲେଖନୀୟ ଯେ, ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ବ ଆଇନ ଲାଗୁ ହେବା ସତ୍ତ୍ୱେ କମନ ଏରିଆ ପଞ୍ଜିକରଣ ଫିକୁ ନେଇ ଦ୍ୱନ୍ଦ୍ଵ ଉପୁଜିଥିଲା। ଏହାର ପ୍ରଭାବରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ଅଟକି ରହୁଥିଲା ଓ କ୍ରେତାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ଗତବର୍ଷ ନଭେମ୍ବର ମାସରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ରାଜ୍ୟ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଦ୍ୱାରା ଆପାର୍ଟମେଣ୍ଟ କ୍ରେତାମାନେ ସଠିକ୍ ମାଲିକାନା ଅଧିକାର ପାଇବା ସହ ବିଲ୍ଡର ମନମାନିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *