Thu. Feb 26th, 2026

ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଆଇଆଇସି ସୁକୁମା ହାଁସଦା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ନ୍ୟାୟ ଦେବା ପରିବର୍ତ୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଆଜି ସକାଳେ ତାଙ୍କୁ ଜୟପୁର ଭିଜିଲ୍ୟାନ୍ସ ଟିମ୍ ହାତେନେଇଛି।ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପୋଡ଼ାଗଡ ପଞ୍ଚାୟତ ଅଧିନସ୍ଥ ଛଟାଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶୃତି ଦେଇ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି।

ପରେ ବିବାହ ପାଇଁ ଯୁବତୀ ଜଣେ ଚାପ ଦେବାରୁ ଅଭିଯୁକ୍ତ ରୋକ୍ ଠୋକ୍ ମନା କରିଦେଇଥିଲେ। ଏହା ପରେ ପୀଡ଼ିତା ଯୁବତୀ ଦଶମନ୍ତପୁର ଥାନାର ଆଶ୍ରୟ ନେଇଥିଲେ।ଅଭିଯୋଗ ମୁତାବକ, ମାମଲାରେ ନ୍ୟାୟସଙ୍ଗତ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଆଇଆଇସି ସୁକୁମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ପୀଡ଼ିତା ପରିବାର ଲୋକେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଯୋଜନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଆଇଆଇସି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ହାତେନେଇଥିଲା। ତାଙ୍କ ଠାରୁ ଲାଞ୍ଚ ରାଶି ଜବତ କରାଯାଇଛି।ଏହି ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *