Thu. Feb 26th, 2026

ନ୍ୟୁଜ ଡେକ୍ସ : ଟାଉନ୍ ଥାନା ଅଞ୍ଚଳରେ ଏକ ଚଞ୍ଚଳକର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ। ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଠକମାନେ।ଏନେଇ ଡାକ୍ତର ମମତା ଟାଉନ୍ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଡାକ୍ତର ମମତାଙ୍କୁ ଜଣେ ଅଜଣା ବ୍ୟକ୍ତି କୋରିୟର ଅଫିସ୍‌ରୁ ଫୋନ୍ କରିଥିଲେ ବୋଲି ପରିଚୟ ଦେଇଥିଲା।

ତାଙ୍କ ନାଁରେ ଆସିଥିବା ଏକ ପାର୍ସେଲ୍‌ରେ ସଙ୍ଗିନ୍ ଅଭିଯୋଗ ଥିବା କହି ସେ ଭୟ ସୃଷ୍ଟି କରିଥିଲା।ତା’ପରେ କଲ୍‌ଟିକୁ ନକଲି ପୁଲିସ୍ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର କରାଯାଇଥିଲା। ସେହି ନକଲି ଅଧିକାରୀ ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରିଥିଲେ। ନିର୍ଦ୍ଦେଶ ଉଲ୍ଲଘଂନ କଲେ ଗିରଫ କରାଯିବ ବୋଲି ଚେତାବନୀ ଦେଇ ‘ଡିଜିଟାଲ ଆରେଷ୍ଟ’ରେ ରଖାଯାଇଥିଲା।

ଦୁଇ ଦିନ ଧରି ମାନସିକ ଚାପରେ ରହି ଡାକ୍ତର ମମତା ବିଭିନ୍ନ ଟ୍ରାଞ୍ଜାକ୍ସନ୍‌ ମାଧ୍ୟମରେ ୧୨ ଲକ୍ଷରୁ ଅଧିକ ଟଙ୍କା ହରାଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ପୋଲିସ ଏବଂ ସାଇବର ସେଲ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ସାଇବର ଠକେଇକୁ ନେଇ ସତର୍କ ରହିବାକୁ ଏବଂ ଏପରି ଫୋନ୍ କଲ୍‌ରେ ଭୟଭୀତ ନ ହେବାକୁ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *