Thu. Feb 26th, 2026

ନ୍ୟୁଜ ଡେକ୍ସ : ଖରିଫ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସହର ସହ ସମଗ୍ର ଜିଲ୍ଲାରେ ଦୋକାନ, ବଜାର ଓ ସରକାରୀ–ବେସରକାରୀ ଅଫିସ ସବୁ ବନ୍ଦ ରହିଛି। ବନ୍ଦର ପ୍ରଭାବରେ ସ୍କୁଲ, କଲେଜ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି।ଏହି ବନ୍ଦରେ ଶହ ଶହ ସଂଖ୍ୟାରେ ଚାଷୀ ଓ କୃଷକ ସଙ୍ଗଠନର କର୍ମୀମାନେ ସାମିଲ ହୋଇ ପିକେଟିଂ କରୁଛନ୍ତି।

ତେବେ ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକକୁ ବାଦ୍ ଦିଆଯାଇଛି ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।ବନ୍ଦକୁ ସମର୍ଥନ ଜଣାଇ ଗତକାଲି ସମ୍ବଲପୁରରେ ଏକ ବାଇକ୍ ରାଲି ମଧ୍ୟ ଆୟୋଜିତ ହୋଇଥିଲା। କୃଷକ ସଙ୍ଗଠନର ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍ ମିଳିଛି। କିନ୍ତୁ ଜିଲ୍ଲାର ପ୍ରାୟ ୧୮୦୦ ଚାଷୀ ଏଯାଏଁ ଧାନ ଜମା ପାଇଁ ଟୋକନ୍ ପାଇନାହାନ୍ତି। ସମବାୟ ବିଭାଗ ପକ୍ଷରୁ ଇ-କେୱାଇସି, ବ୍ୟାଙ୍କ ଲିଂକେଜ ଭଳି ପ୍ରଶାସନିକ କାରଣ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି ବୋଲି କୁହାଯାଉଛି।

ସେହିପରି ଭିଟିଏସ୍ (ଭେଇକିଲ୍ ଟ୍ରାକିଂ ସିଷ୍ଟମ) କାର୍ଯ୍ୟକାରୀ କରିବା ଉପରେ ଜୋର ଦିଆଯାଉଥିବାରୁ ମଧ୍ୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ବରେଇପାଲି ବୈଠକରେ ଏହି ଭିଟିଏସ୍ ବ୍ୟବସ୍ଥାକୁ ପୂର୍ବରୁ ବିରୋଧ କରାଯାଇଥିବାରୁ ସେତେବେଳେ ଏହା ବନ୍ଦ ରହିଥିଲା। କିନ୍ତୁ ଏବେ ପୁଣି ଏହାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଧାନ ପରିବହନ ବାବଦରେ ମିଳୁଥିବା ପ୍ରାପ୍ୟରୁ ଚାଷୀ ବଞ୍ଚିତ ହେବାର ଆଶଙ୍କା ରହିଛି।ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଥିବା କୃଷକ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *