Thu. Feb 26th, 2026

ନ୍ୟୁଜ ଡେକ୍ସ : ସୋସିଆଲ୍‌ ମିଡିଆର ଦ୍ରୁତ ବିସ୍ତାର ସହ ରିଲ୍‌ସ ନିଶା ଏବେ ଶିକ୍ଷାଳୟ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ରିଲ୍‌ସ କରିବାର ଏହି ଆସକ୍ତି କେତେକ ଶିକ୍ଷୟିତ୍ରୀଙ୍କୁ ଏପରି ଭାବେ ଘାରିଛି ଯେ, ପାଠପଢ଼ା ସମୟରେ ମଧ୍ୟ ସେମାନେ ଭିଡିଓ ତିଆରି କରି ସୋସିଆଲ୍‌ ମିଡିଆରେ ଛାଡ଼ୁଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ଭିଡିଓରେ ବ୍ୟବହାର କରିବାକୁ ମଧ୍ୟ ପଛାଉ ନାହାନ୍ତି।ଗୋଟିଏପଟେ ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବାବେଳେ, ଅନ୍ୟପଟେ ଶିକ୍ଷୟିତ୍ରୀଙ୍କ ମୋବାଇଲ୍‌ ଧରି ପିଲାମାନେ ଭିଡିଓ କରୁଥିବା ଦୃଶ୍ୟ ଏବେ ସାଧାରଣ ହୋଇଯାଇଛି।

ସମୟ ସହ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ଆସିଛି। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ପାଠପଢ଼ାଇବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ସେହି ବୈଷୟିକ ଜ୍ଞାନକୁ ପାଠପଢ଼ାଇବାରେ ବ୍ୟବହାର କରିବାଠାରୁ ଅଧିକ ରିଲ୍‌ସ ତିଆରିରେ ମନୋନିବେଶ କରାଯାଉଥିବା ଅଭିଯୋଗ ଉଠୁଛି। ଶିକ୍ଷକଙ୍କ ତୁଳନାରେ ଏହି କ୍ଷେତ୍ରରେ ଶିକ୍ଷୟିତ୍ରୀମାନେ ବହୁ ଆଗରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଖୋଲିଲେ ଶ୍ରେଣୀଗୃହରେ ପିଲାଙ୍କ ସହ ଭିଡିଓ କରୁଥିବା ଶିକ୍ଷୟିତ୍ରୀଙ୍କ ଅନେକ ରିଲ୍‌ସ ଦେଖିବାକୁ ମିଳୁଛି। ସ୍ମାର୍ଟ ବୋର୍ଡରେ ପଢ଼ାଇବା ସମୟର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଘୁରୁଛି, ଯାହାରୁ ସ୍ପଷ୍ଟ ହେଉଛି ଯେ ସେହି ସମୟରେ କେହି ଛାତ୍ରଛାତ୍ରୀ ରେକର୍ଡିଂ କରୁଛନ୍ତି। କେତେକ ଶିକ୍ଷୟିତ୍ରୀ ଗୀତ ଗାଇବା ବେଳେ ପିଲାମାନେ ବାଦ୍ୟ ବଜାଉଥିବା ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି।ଅନେକ ସମୟରେ ଏହି ରିଲ୍‌ସ ଦ୍ୱିଅର୍ଥବୋଧକ ଗୀତ ବା କଣ୍ଟେଣ୍ଟ ଉପରେ ଆଧାରିତ ହେଉଥିବାରୁ ବିବାଦ ମଧ୍ୟ ସୃଷ୍ଟି ହେଉଛି।

ଏନେଇ ବହୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ଶିକ୍ଷୟିତ୍ରୀଙ୍କୁ ତାଗିଦ କରୁଛନ୍ତି। ସେମାନଙ୍କ କଥା, ପିଲାଙ୍କୁ ପାଠପଢ଼ାଇବା ପ୍ରଧାନ କାମ, ରିଲ୍‌ସ କରି ସେମାନଙ୍କୁ ବିପଥଗାମୀ କରାଯାଉନାହିଁ।ଅପରପକ୍ଷେ, ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟର କେତେକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସର କିମ୍ବା ଶ୍ରେଣୀଗୃହରେ ଅଧିକ ମାତ୍ରାରେ ରିଲ୍‌ସ କରୁଥିବା ଦେଖାଯାଉଛି। ଏହି ପ୍ରବୃତ୍ତି ଯଦି ନିୟନ୍ତ୍ରଣ ନହୁଏ, ତେବେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଳରେ ଆଲୋଚନା ଜୋର ଧରିଛି।

Leave a Reply

Your email address will not be published. Required fields are marked *