ନ୍ୟୁଜ ଡେକ୍ସ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ଆଂଚଳିକ କାର୍ଯ୍ୟାଳୟ ସହ ମିଳିତ ଭାବେ ଝାରସୁଗୁଡାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କୋଇଲିଘୁଘର ଜଳପ୍ରପାତରେ ‘ପ୍ଲାଷ୍ଟିକ୍-ମୁକ୍ତ ପିକନିକ୍ ସ୍ପଟ୍’ ଅଭିଯାନ ଅଧୀନରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି।
ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଥିଲା ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସ୍ଥାୟୀ ଓ ପରିବେଶ-ଅନୁକୂଳ ଅଭ୍ୟାସକୁ ଉତ୍ସାହିତ କରିବା। ଏକକ-ବ୍ୟବହୃତ ପ୍ଲାଷ୍ଟିକ୍ ବିରୋଧରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ସହ ସମନ୍ୱୟ ରଖି, କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସ୍ଥଳରୁ ପ୍ଲାଷ୍ଟିକ୍ ଆବର୍ଜନା ଅପସାରଣ କରାଯାଇଥିଲା ଏବଂ ପରିଦର୍ଶକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପାରସ୍ପରିକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୁକ୍କଡ୍ ନାଟକ ମାଧ୍ୟମରେ ଜଙ୍ଗଲ, ଜଳାଶୟ ଏବଂ ବନ୍ୟପ୍ରାଣୀ ଉପରେ ପ୍ଲାଷ୍ଟିକ୍ ପ୍ରଦୂଷଣର ଦୀର୍ଘକାଳୀନ ପ୍ରଭାବ ସମ୍ପର୍କରେ ସନ୍ଦେଶ ପ୍ରସାର କରିଥିଲେ।
ପାଞ୍ଚଟି ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ଏବଂ ବେଦାନ୍ତର କର୍ମଚାରୀ ସ୍ୱେଚ୍ଛାସେବକମାନେ ଏହି ଅଭିଯାନରେ ସକ୍ରିୟ ଭାଗନେଇଥିଲେ।କାର୍ଯ୍ୟକ୍ରମରେ ଝାରସୁଗୁଡାର କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ୍ କୁନାଲ ମୋତିରାମ ଚଭନ, ଡିଏଫଓ ମନୁ ଅଶୋକ ଭଟ୍ ଏବଂ ଓଏସପିସିବିର ଆଂଚଳିକ ଅଧିକାରୀ ହିରଣ୍ୟ କୁମାର ନାୟକ ଉପସ୍ଥିତ ରହି ପରିବେଶ ସୁରକ୍ଷା ନେଇ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ଅଂଶଗ୍ରହଣକାରୀମାନେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପରିବେଶ-ଅନୁକୂଳ ଅଭ୍ୟାସ ଅନୁସରଣ କରିବା ଏବଂ ସାର୍ବଜନୀନ ସ୍ଥାନଗୁଡିକୁ ପ୍ଲାଷ୍ଟିକ୍-ମୁକ୍ତ ରଖିବା ପାଇଁ ପ୍ରତିଜ୍ଞା ନେଇଥିଲେ। ପରେ ଏକ ସମ୍ବର୍ଦ୍ଧନା ସମାରୋହରେ ଛାତ୍ରଛାତ୍ରୀ, ଏସଏଚଜି ସଦସ୍ୟ ଓ ସ୍ୱେଚ୍ଛାସେବକମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ବେଦାନ୍ତ ଝାରସୁଗୁଡାର ସିଇଓ ସି. ଚନ୍ଦ୍ରୁ କହିଥିଲେ, “ବେଦାନ୍ତରେ ସ୍ଥାୟୀତ୍ୱ ଆମର ମୂଳ ଧ୍ୟାନକେନ୍ଦ୍ର। କୋଇଲିଘୁଘର ଭଳି ପ୍ରାକୃତିକ ସ୍ଥାନଗୁଡିକର ସଂରକ୍ଷଣ ପାଇଁ ସାମୂହିକ ସଚେତନତା ଓ ଦୀର୍ଘକାଳୀନ ଆଚରଣଗତ ପରିବର୍ତ୍ତନ ଆବଶ୍ୟକ।”ସେହିପରି କଲେକ୍ଟର କୁନାଲ ମୋତିରାମ ଚଭନ କହିଥିଲେ, “ଛାତ୍ରଛାତ୍ରୀ, ସ୍ଥାନୀୟ ସମ୍ପ୍ରଦାୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହଯୋଗରେ ଏପରି ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ ଓ ପ୍ରାକୃତିକ ଧରୋହର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।”

