Wed. Feb 25th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ତୁରନ୍ତ ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକମାନଙ୍କ ଆଶା–ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର କାର୍ଯ୍ୟକାଳ ଗତ ୩ ଜାନୁଆରୀ ୨୦୨୪ରେ ଶେଷ ହୋଇଯାଇଛି। ନୂତନ ସଦସ୍ୟ ନିଯୁକ୍ତ ହୋଇନଥିବାରୁ ଆୟୋଗ ବର୍ତ୍ତମାନ କାର୍ଯ୍ୟକ୍ଷମ ନୁହେଁ, ଯାହାର ପ୍ରଭାବ ପଛୁଆ ବର୍ଗର ଲୋକମାନଙ୍କ ଉପରେ ପଡ଼ୁଛି।ଓଡ଼ିଶାର ଜନସଂଖ୍ୟାର ଏକ ବଡ଼ ଅଂଶ ଭାବେ ପ୍ରାୟ ୨୧୬ଟି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସଇବିସି) ସମୁଦାୟ ରାଜ୍ୟରେ ବସବାସ କରୁଛନ୍ତି। ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ନୂତନ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସସିବିସିର ମୁଖ୍ୟ ଭୂମିକା ରହିଛି। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ସଂଶୋଧନ) ଅଧିନିୟମ–୨୦୨୦ ଅନୁଯାୟୀ, ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଏହି କମିଶନକୁ ଦିଆଯାଇଛି।

ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା–ଆକାଂକ୍ଷା ପୂରଣ ପାଇଁ ଓଏସସିବିସିର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି। ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *