Wed. Feb 25th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଜମି କିଣାବିକା ପ୍ରକ୍ରିୟାକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ସରକାର ନୂଆ Standard Operating Procedure (SOP) ଜାରି କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏହି ବିସ୍ତୃତ SOP ଜାରି କରାଯାଇଛି।

ନୂଆ ନିୟମ ଅନୁଯାୟୀ, ଆସନ୍ତା ଏପ୍ରିଲ ୧ରୁ ଜମିର ବେଞ୍ଚମାର୍କ ମୂଲ୍ୟ ପରିବର୍ତ୍ତିତ ହେବ। ଏହି ବ୍ୟବସ୍ଥା ପ୍ରତି ଦୁଇ ବର୍ଷକୁ ଥରେ ଏପ୍ରିଲ ୧ରୁ ଲାଗୁ ହେବ। ଏହା ମାଧ୍ୟମରେ ଜମି ଓ ଘରବାଡ଼ି ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଅଧିକ ସ୍ପଷ୍ଟ ଏବଂ ବୈଜ୍ଞାନିକ କରିବା ଉଦ୍ଦେଶ୍ୟ ରହିଛି।SOP ଅନୁସାରେ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୂଲ୍ୟାଙ୍କନ କମିଟି ଏବଂ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି ଗଠନ କରାଯିବ। ଏହି କମିଟିଗୁଡ଼ିକରେ ବିଶେଷଜ୍ଞ ମୂଲ୍ୟାଙ୍କନକାରୀମାନେ ସାମିଲ ରହିବେ। ସହରାଞ୍ଚଳର Form-5 ପ୍ଲଟଗୁଡ଼ିକୁ ରାସ୍ତା କଡ଼, ଆବାସିକ ଏବଂ ବ୍ୟବସାୟିକ ଶ୍ରେଣୀରେ ବିଭକ୍ତ କରାଯାଇ ବେଞ୍ଚମାର୍କ ମୂଲ୍ୟ ଧାର୍ଯ୍ୟ କରାଯିବ।

ସେହିପରି, ଗ୍ରାମାଞ୍ଚଳର Form-6 ଅନ୍ତର୍ଗତ ଚାଷ ଜମି, ଅଣ-ଚାଷ ଜମି ଏବଂ ଜାତୀୟ ରାଜପଥ ନିକଟରେ ଥିବା ଜମିକୁ ଆଧାର କରି ମୂଲ୍ୟ ନିର୍ଦ୍ଧାରଣ ହେବ।ଘର ଓ କୋଠା ମୂଲ୍ୟାଙ୍କନ କ୍ଷେତ୍ରରେ ଇଞ୍ଜିନିୟରମାନଙ୍କ ଦ୍ୱାରା ଧାର୍ଯ୍ୟ RCC ଓ ଅନ୍ୟାନ୍ୟ ନିର୍ମାଣ ଦରକୁ ଆଧାର କରାଯିବ। ଏହି ନୂଆ SOP ଲାଗୁ ହେବା ପରେ ରାଜ୍ୟରେ ଜମି କିଣାବିକା ପ୍ରକ୍ରିୟା ଅଧିକ ପାରଦର୍ଶୀ ଓ ସୁସଂଗଠିତ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *