Tue. Feb 24th, 2026

ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଉଠିଛି କଂସଙ୍କ ରାଜଦରବାର ସହ ରଂଗମହଲ। ଧନୁଯାତ୍ରାକୁ ନେଇ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଛି। ଚଳିତବର୍ଷ ୭୮ତମ ବର୍ଷରେ ପଦାର୍ପଣ କରୁଥିବା ବରଗଡ଼ ଧନୁଯାତ୍ରା ଆଜି (ବୁଧବାର) ଠାରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲିବ। ଆସନ୍ତା ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ମଥୁରାନଗରୀର ରୂପ ନେବା ସହ ଅମ୍ବାପାଲି ଗୋପପୁର ଭାବେ ପରିଚିତ ହେବ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି ଯେ, ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଧନୁଯାତ୍ରାକୁ ଦେଶ-ବିଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି। ପୌରାଣିକ କଥାବସ୍ତୁର ଜୀବନ୍ତ ଉପସ୍ଥାପନା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହାସହ ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ମହାମହିମ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଧନୁଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

୧୫୦ ଜଣ ପୁଲିସ ଅଫିସର ସହ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ। ସମଗ୍ର ସହରକୁ ସିସିଟିଭି କ୍ୟାମେରା ନିଗରାଣୀରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖାଯିବ ବୋଲି ଏସ୍‌ପି ଶ୍ରୀ ମୀନା ସୂଚନା ଦେଇଛନ୍ତି।ଧନୁଯାତ୍ରାକୁ ନେଇ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ, ଏହି ବର୍ଣ୍ଣାଜ୍ୟ ମହୋତ୍ସବ ବରଗଡ଼ର ସାଂସ୍କୃତିକ ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *