ନ୍ୟୁଜ ଡେକ୍ସ : ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA) ବାସୁଦେବ ଭୋଇଙ୍କ ଘରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସୁଦେବ ଭୋଇଙ୍କ ସହିତ ସମ୍ପୃକ୍ତ ୪ଟି ସ୍ଥାନରେ ଏକାସାଥି ଚଢ଼ଉ ଜାରି ରହିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ଼ ସ୍ଥିତ ବାସୁଦେବ ଭୋଇଙ୍କ ବାସଭବନ, ଚାରଭାଟି ଅଞ୍ଚଳରେ ଥିବା ଘର, ବରଗଡ଼ରେ ଅବସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର ସେଟେଲମେଣ୍ଟ ଅଫିସର କାର୍ଯ୍ୟାଳୟରେ ତଲାସୀ ଚାଲିଛି।ଖବରମୁତାବକ, ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ଉ କରାଯାଇଛି।
ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସମ୍ମିଳିତ ଦଳ ଦ୍ୱାରା ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କାର୍ଯ୍ୟ ଚାଲୁ ରହିଛି। ଚଢ଼ଉ ସମୟରେ ମିଳୁଥିବା ଦଲିଲପତ୍ର, ନଗଦ ଟଙ୍କା, ମୂଲ୍ୟବାନ ସାମଗ୍ରୀ ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟର ଯାଞ୍ଚ କରାଯାଉଥିବା ବେଳେ, ଚଢ଼ଉ ସମାପ୍ତି ପରେ ଅଧିକ ସୂଚନା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

