ନ୍ୟୁଜ ଡେକ୍ସ : ASO (ଅସିଷ୍ଟାଣ୍ଟ ସେକ୍ସନ୍ ଅଫିସର) ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ଗୋପନୀୟତା ଭଙ୍ଗ ଅଭିଯୋଗ ପ୍ରମାଣିତ ହେବା ପରେ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇଛି। ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ମିଳିଥିବା ସୂଚନା ଅନୁସାରେ, ୨୦୨୫ ମେ’ ମାସରେ ହୋଇଥିବା ଚୁକ୍ତି ଅନୁଯାୟୀ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ASO ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିଥିଲା।
ଏହି ଚୁକ୍ତି ଅନୁସାରେ ଚଳିତ ବର୍ଷ ଜୁଲାଇ ମାସରେ ASO ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା।ତେବେ ପରୀକ୍ଷା ପରେ ସଂସ୍ଥା ବିରୁଦ୍ଧରେ ଗୋପନୀୟତା ଭଙ୍ଗ କରିବା ସହ ପରୀକ୍ଷା ପ୍ରକ୍ରିୟାରେ ଗୁରୁତର ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯିବା ପରେ ତାହା ପ୍ରମାଣିତ ହୋଇଥିଲା। ସମଗ୍ର ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସଂସ୍ଥାର ଭୂମିକାକୁ ଗୁରୁତର ଭାବେ ନେଇ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିଷ୍ପତ୍ତି ପରେ ଭବିଷ୍ୟତରେ ରାଜ୍ୟରେ ହେବାକୁ ଥିବା କୌଣସି ସରକାରୀ ପରୀକ୍ଷା ପରିଚାଳନା କାର୍ଯ୍ୟରେ ସଂସ୍ଥା ଅଂଶଗ୍ରହଣ କରିପାରିବ ନାହିଁ।ହାଇକୋର୍ଟଙ୍କ ଏହି ରାୟକୁ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

