ନ୍ୟୁଜ ଡେକ୍ସ : ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUC) ବିନା ଯାନବାହନକୁ ଇନ୍ଧନ ଦେବା ଉପରେ ଲାଗୁ ହେବାକୁ ଥିବା ନିଷେଧାଜ୍ଞାର ସମୟସୀମାକୁ ଏକ ମାସ ପାଇଁ ବଢ଼ାଯାଇଛି। ପୂର୍ବରୁ ଏହି ନିଷ୍ପତ୍ତି ଜାନୁଆରୀ ମାସରୁ ଲାଗୁ ହେବାକୁ ଥିଲେ ମଧ୍ୟ, ଏବେ ଏହାକୁ ଫେବୃଆରୀ ୧ ତାରିଖରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।ଗାଡ଼ିର ପ୍ରଦୂଷଣ ଯାଞ୍ଚ ସମ୍ପର୍କରେ ଜନସାଧାରଣ ଯେ ସମସ୍ୟା ସମ୍ମୁଖୀନ ହେଉଥିଲେ, ତାହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଏହି ଅବଧି ବୃଦ୍ଧି କରାଯାଇଛି।
ମୋଟର ଯାନର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ନେଇ ଉତ୍ପନ୍ନ ଅସୁବିଧା ଓ ଜନସାଧାରଣଙ୍କ ଦାବିକୁ ବିଚାର କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତିକୁ ଏକ ମାସ ପଛକୁ ଘୁଞ୍ଚାଯାଇଛି।ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନମାନେ ଶୀଘ୍ର ନିଜ ଯାନର ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସମୟସୀମା ବୃଦ୍ଧି ହେବାରୁ ଜନସାଧାରଣ ବିବ୍ରତ ନହୋଇ ସହଜରେ ଏହି ପ୍ରକ୍ରିୟା ସମ୍ପନ୍ନ କରିପାରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ସ୍ପଷ୍ଟ କରାଯାଇଛି ଯେ, ଫେବୃଆରୀ ୧ ତାରିଖ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ ପ୍ରଦୂଷଣ ପ୍ରମାଣପତ୍ର ନଥିବା କାରଣରୁ କାହାକୁ ମଧ୍ୟ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ। ଏହା ସହ ଏହି ସମୟରେ ପ୍ରଦୂଷଣ ପ୍ରମାଣପତ୍ର ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

