Tue. Feb 24th, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ପରେ ମନ୍ଦିରର ଅଳଙ୍କାରଗୁଡ଼ିକୁ ପୂର୍ଣ୍ଣ ଭାବେ ସ୍ଥାପନ କରାଯିବ। ଏଥିସହ ଗଣତି–ମଣତି ପ୍ରକ୍ରିୟା ପାଇଁ SOP (ମାନକ କାର୍ଯ୍ୟ ପ୍ରଣାଳୀ) ଉପରେ ମଧ୍ୟ ଆଲୋଚନା ହେବ।

ଜଷ୍ଟିସ୍ ରଥ କହିଛନ୍ତି ଯେ, ଜାନୁଆରୀ ମାସ ମଧ୍ୟରେ ରତ୍ନଭଣ୍ଡାରର ଗଣତି–ମଣତି କାର୍ଯ୍ୟ ସାରିବାକୁ ଉଦ୍ୟମ ହେଉଛି। ଏହି ଗଣତି ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ଗଣତି–ମଣିତ ତାଲିକା ସହ ମେଳ କରାଯିବ। ଏହି ସମୟରେ ସେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି।ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଗଣତି–ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟରେ ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ରତ୍ନଭଣ୍ଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିବା କଥା ଉଲ୍ଲେଖ କରାଯାଇଛି। ମରାମତି ପରେ ରତ୍ନଭଣ୍ଡାରକୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ପ୍ରଶାସନଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସଆଇ ସୂଚନା ଦେଇଛି।

ଗଣତି–ମଣତି ପାଇଁ SOP ପ୍ରସ୍ତୁତି କାମ ଚାଲିଛି ଏବଂ ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଅବଗତ କରାଇଛନ୍ତି।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ଗଣତି–ମଣତି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏହି କାର୍ଯ୍ୟ କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *