Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଗାମୀ ଦିନଗୁଡ଼ିକରେ ଶୀତର ପ୍ରକୋପ ଆହୁରି ବଢ଼ିବା ସହ ଘନ କୁହୁଡ଼ି ଲାଗି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବ ନାହିଁ, ବରଂ କୁହୁଡ଼ିର ପ୍ରଭାବ ଅଧିକ ହେବ।ବର୍ତ୍ତମାନ ରାଜ୍ୟର ପାଗ ଶୁଖିଲା ରହିବା ସହ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ଆଶଙ୍କା ନାହିଁ।

ତେବେ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଠାରୁ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।ବଡ଼ଦିନ ଓ ଖ୍ରୀଷ୍ଟମାସ ଅବସରରେ ବୁଧବାର ରାତି ଓ ଗୁରୁବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସକାଳୁ ସକାଳୁ ଘନ କୁହୁଡ଼ି ଛାଇ ରହିଥିଲା। କମ ଦୃଶ୍ୟତା ଯୋଗୁଁ ଅନେକ ସ୍ଥାନରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେହିପରି ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି।ପାଣିପାଗ ବିଭାଗ ଲୋକମାନଙ୍କୁ ସତର୍କ ରହିବା ସହ ସକାଳ ସମୟରେ ଯାତ୍ରା କରିବା ବେଳେ ସାବଧାନତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *