ନ୍ୟୁଜ ଡେକ୍ସ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ତାଙ୍କ ସ୍ମୃତିକୁ ସମ୍ମାନ ଜଣାଯାଉଛି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ବାଜପେୟୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି।୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟ ପ୍ରଦେଶର ଗ୍ୱାଲିଅରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ। ଗୁଣ ଓ ପ୍ରତିଭାର ଅଦ୍ଭୁତ ସମନ୍ୱୟ ଥିଲେ ବାଜପେୟୀ।
ଏକାଧାରାରେ ସେ ଜଣେ କବି, ଲେଖକ ଓ ଦୃଢ଼ ରାଷ୍ଟ୍ରନେତା ଥିଲେ। ତାଙ୍କର କବିତା ସଂସଦ ଭବନରେ ଗୁଞ୍ଜି ଉଠୁଥିଲା ଏବଂ ରାଜନୀତିରେ ମଧ୍ୟ ଏକ ସଂଯମିତ, ଶାଳୀନ ଓ ଦୂରଦର୍ଶୀ ନେତୃତ୍ୱର ଉଦାହରଣ ସୃଷ୍ଟି କରିଥିଲେ।ଛାତ୍ର ଜୀବନରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ଥିଲେ। କଲେଜ ପଢ଼ୁଥିବା ସମୟରେ ରାଜନୀତିରେ ପାଦ ଥାପିଥିବା ବାଜପେୟୀ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ। ୧୯୫୭ ରୁ ୨୦୦୯ ମଧ୍ୟରେ ସେ ଲୋକସଭାକୁ ନଅଥର ଏବଂ ରାଜ୍ୟସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ, ଯାହା ଭାରତୀୟ ରାଜନୀତିରେ ଏକ ରେକର୍ଡ।
ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ସେ ମୋଟ ତିନିଥର ଦାୟିତ୍ୱ ଗ୍ରହଣ କରିଥିଲେ—୧୯୯୬ରେ ୧୩ ଦିନ, ୧୯୯୮ ରୁ ୧୯୯୯ ପର୍ଯ୍ୟନ୍ତ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ପୂରା ୫ ବର୍ଷ।ଦେଶର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅମୂଲ୍ୟ। ସଡ଼କ, ଯୋଗାଯୋଗ, ପରମାଣୁ କ୍ଷେତ୍ର ଓ ବିଦେଶନୀତିରେ ତାଙ୍କ ନେତୃତ୍ୱ ଭାରତକୁ ଏକ ନୂଆ ଦିଗ ଦେଇଥିଲା। ତାଙ୍କ ଅବଦାନକୁ ସମ୍ମାନ ଜଣାଇ ୨୦୧୪ ମସିହା ଡିସେମ୍ବର ୨୫ ତାରିଖରେ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବାକୁ ସରକାର ଘୋଷଣା କରିଥିଲେ।ବାଜପେୟୀଙ୍କ ସମ୍ମାନରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିର୍ମିତ ଆଧୁନିକ କ୍ରିକେଟ ଷ୍ଟାଡିୟମକୁ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ’ ନାମକରଣ କରାଯାଇଛି।
ତାଙ୍କର ନିଃସ୍ୱାର୍ଥପର ଦେଶସେବାକୁ ସ୍ୱୀକୃତି ଦେଇ ସେ ପଦ୍ମବିଭୂଷଣ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ ଭାରତର ଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ବିବେଚନା କରାଯାଇଥିଲା। ଆଜି ତାଙ୍କ ୧୦୧ତମ ଜୟନ୍ତୀରେ ସମଗ୍ର ଦେଶ ଏହି ମହାନ ନେତାଙ୍କୁ ସ୍ମରଣ କରି ତାଙ୍କ ଆଦର୍ଶ ଓ ସୁଶାସନର ପଥରେ ଅଗ୍ରସର ହେବାର ସଙ୍କଳ୍ପ ନେଉଛି।

