ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ।ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି ଓ ୧୭ଟି ଜିଲ୍ଲାରେ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଇଛି।
ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାର ଯୋଜନା ରହିଛି। ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ, ୧୦ ଜାନୁଆରୀ ୨୦୨୬ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯିବ।ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିପାରିଥିବା ବେଳେ, ଏଥିପାଇଁ ପ୍ରାୟ ୧,୦୫୬.୦୮ କୋଟି ଟଙ୍କା ଅର୍ଥପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ଓ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ରେ ଆଞ୍ଚ୍ ନ ଆସିବାକୁ ଅଧିକାରୀମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଅଣଧାନ ଫସଲ ସଂଗ୍ରହ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମାଣ୍ଡିଆ, ଡାଲିଜାତୀୟ ଫସଲ ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା।ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ସହ କ୍ୟାବିନେଟ ମନ୍ତ୍ରୀଗଣ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହା ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ପ୍ରମୁଖ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ସହ ସ୍ୱଚ୍ଛ ଓ ସୁଚାରୁ ଧାନ କ୍ରୟ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସ୍ପଷ୍ଟ କରିଥିଲେ।

