Tue. Feb 24th, 2026

ନ୍ୟୁଜ ଡେକ୍ସ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ “ଏକ ଅତ୍ୟନ୍ତ ଜଘନ୍ୟ କାଣ୍ଡ” ବୋଲି ଅଭିହିତ କରି ତୀବ୍ର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ବିକେଳ ୨ଟା ସମୟରେ ଘରୁ ବାହାରିଥିବା ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରାୟ ୬ ଘଣ୍ଟା ପରେ ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁର ଏକ ବୁଦା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ତୀବ୍ର ପ୍ରତିବାଦ ପରେ ପୋଲିସ୍ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଥିଲା।ଏହି ଜଘନ୍ୟ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତୁରନ୍ତ ଇସ୍ତଫା ଦାବି କରି ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଯୁବ ଏବଂ ଛାତ୍ରମାନେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ପ୍ରତିବାଦକାରୀମାନେ ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନେଇ ସରକାରର ବିଫଳତା ଅଭିଯୋଗ କରିଥିଲେ।

ବିଜେଡି ପକ୍ଷରୁ ପୂର୍ବରୁ ଧଉଳି ଓ ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ, ସହିଦ ନଗରରେ ୧୭ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ, ଏବଂ ବାଲିହରଚଣ୍ଡୀ ଓ ମାଲକାନଗିରିର ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ପ୍ରତିବାଦକୁ ଆହୁରି ତୀବ୍ର କରାଯାଇଥିଲା। ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରଠାରୁ ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ଓ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।ଘଟଣାକୁ ନେଇ ରାଜ୍ୟର ରାଜନୀତି ଆହୁରି ତାତି ହେବା ସହ ମହିଳା ଓ ଶିଶୁ ସୁରକ୍ଷା ନେଇ ପୁନର୍ବାର ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *