ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ଜନମୁଖୀ ପଦକ୍ଷେପ ଅନ୍ତର୍ଗତ ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ଭୁବନେଶ୍ୱରର ୟୁନିଟ–୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସିଧାସଳଖ ଶୁଣାଣି କରିବେ।ଏହି ଜନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ।
ସର୍ବାଧିକ ୧୦୦୦ ଜଣ ଆଗ୍ରହୀ ନାଗରିକ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଏହି ସୁବିଧା ଖୋଲା ରହିବ। ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ଅନଲାଇନରେ ପଞ୍ଜୀକରଣ କରିପାରିବେ।
ପଞ୍ଜୀକୃତ ଜନସାଧାରଣ ଅଭିଯୋଗ ଶୁଣାଣି ଦିନ ନିଜର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଲିଖିତ ଅଭିଯୋଗ ପତ୍ର ସହ ନିର୍ଦ୍ଧାରିତ ସମୟରେ ଉଲ୍ଲେଖିତ ସ୍ଥାନରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ନିଜର ଅଭିଯୋଗ ଉପସ୍ଥାପନ କରିପାରିବେ। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ, ଅଧିକ ସଂଖ୍ୟାରେ ଜନସାଧାରଣ ଏହି ସୁଯୋଗର ଲାଭ ନେବାକୁ ଅନୁରୋଧ କରାଯାଇଛି।

